ଲଗାଣ ବର୍ଷା ରି ଉଜୁଡ଼ିଲ ଚାଷ, ପନିପରିବା ଫସଲ ନଷ୍ଟ ପନିପରିବା ଫସଲ ଅମଳ ହ୍ରାସ , ବଜାର ରେ ପରିବାରେ ନିଆଁ ଲାଗିଛି
ବଲାଙ୍ଗିର, 05 ଅଗଷ୍ଟ (ହି.ସ.) ଗତ ଜୁଲାଇ ମାସରେ ଲଗାଣ ବର୍ଷା, ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ଅନେକାଂଶରେ ଧାନ ତଳି ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପନିପରିବା ଫସଲ ଅମଳ ହ୍ରାସ ପାଇଛି । ଲଗାଣ ବର୍ଷାରେ ଫସଲ ଅମଳ ହ୍ରାସ ଯୋଗୁଁ ଆମଦାନ
ଲଗାଣ ବର୍ଷା ରି ଉଜୁଡ଼ିଲ ଚାଷ, ପନିପରିବା ଫସଲ ନଷ୍ଟ  ପନିପରିବା ଫସଲ ଅମଳ ହ୍ରାସ , ବଜାର ରେ ପରିବାରେ ନିଆଁ ଲାଗିଛି


ବଲାଙ୍ଗିର, 05 ଅଗଷ୍ଟ (ହି.ସ.)

ଗତ ଜୁଲାଇ ମାସରେ ଲଗାଣ ବର୍ଷା, ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ଅନେକାଂଶରେ ଧାନ ତଳି ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପନିପରିବା ଫସଲ ଅମଳ ହ୍ରାସ ପାଇଛି । ଲଗାଣ ବର୍ଷାରେ ଫସଲ ଅମଳ ହ୍ରାସ ଯୋଗୁଁ ଆମଦାନୀ କମ୍ ହେଉଛି । ଫଳରେ ଏବେ ବାହାର ଜିଲ୍ଲାର ପନିପରିବା ଉପରେ ନିର୍ଭର କରୁଥିବା ବେଳେ ଦେଓଗାଁ ସମେତ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁରେ ବସୁଥିବା ସାପ୍ତାହିକ ହାଟରେ ପରିବା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳୁଛି । ୬୦ ଟଙ୍କାରୁ ଆରମ୍ଭ କରି ୧୩୦ ଟଙ୍କା ଉପରେ ପରିବା ଦର ରହିଥିବାରୁ ସାଧାରଣ ଲୋକଙ୍କ ପାଇଁ ପରିବା ମୂଲ୍ୟ ବୃଦ୍ଧି ଚିନ୍ତାରେ ପକାଇଛି । ଶ୍ରାବଣରେ ଆମିଷ ବର୍ଜନ କରି ବହୁସଂଖ୍ୟକ ଲୋକ ନିରାମିଷ ଭୋଜନ ଆପଣାଉଥିବା ବେଳେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ସାଧାରଣ ଖାଉଟିଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଦେଓଗାଁ ତଥା ବ୍ଲକର ବିଭିନ୍ନ ଅଞ୍ଚଳର ବଜାରଗୁଡ଼ିକରେ ପ୍ରାୟ ସବୁ ପନିପରିବା ଦର କିଲୋପ୍ରତି ୭୦ରୁ ୧୦୦ ଟଙ୍କା ଡେଇଁଲାଣି । ଟମାଟୋ, ଆଳୁ ଏବଂ ପିଆଜକୁ ଛାଡ଼ିଦେଲେ, ବାଇଗଣ, ଭେଣ୍ଡି, କାଙ୍କଡ଼ ସହ ନିତ୍ୟବ୍ୟବହାର୍ଯ୍ୟ ପରିବା ଦାମ୍ ଶହେ ଟଙ୍କା ପାଖାପାଖି ପହଞ୍ଚିଛି । ପରିବା ଦର ଏତେ ବଢ଼ିବାର ମୁଖ୍ୟ କାରଣ ହେଉଛି ଲଗାଣ ବର୍ଷାରେ ଦିନିଆ ନଷ୍ଟ ଏବଂ ଯୋଗାଣରେ ବ୍ୟାଘାତ । ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଚାଷଜମିରେ ପାଣି ଜମି ରହି ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଏହା ସହ ବାହାରୁ ଆସୁଥିବା ପନିପରିବା ଗାଡ଼ିଗୁଡ଼ିକ ମଧ୍ୟ ଖରାପ ପାଗ ପାଇଁ ସମୟ ସୀମାରେ ପହଞ୍ଚି ପାରୁନାହାନ୍ତି । ଯୋଗାଣ କମ୍ ଏବଂ ଶ୍ରାବଣ ମାସ ହେତୁ ବଜାରରେ ଚାହିଦା ଅଧିକ ରହିଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରୁଥିବା ଅଭିଯୋଗ ହେଉଛି । ବଜାରକୁ ବ୍ୟାଗ୍ ଧରି ଆସୁଥିବା ଗ୍ରାହକମାନେ ନିରାଶ ହୋଇ ଫେରୁଛନ୍ତି । ଯେଉଁଠି ପୂର୍ବରୁ ଗୋଟିଏ କିଲୋ ପରିବା କିଣୁଥିଲେ, ଏବେ ପାଇବା ଦର ଦେଖି ୨୫୦ ଗ୍ରାମ୍ରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ବଜାରରେ ଟମାଟୋ, ଆଳୁ, ପିଆଜକୁ ଛାଡ଼ି ଦେଲେ ସବୁ ଦର ଆକାଶଛୁଆଁ ହୋଇଛି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଚାଷ ପାଇଁ ପ୍ରୋତ୍ସାହନ ଓ ଫସଲ ନଷ୍ଟ ହେଲେ କ୍ଷତି ପୂରଣ ପ୍ରଦାନ କରାଯାଉଥିବା ବେଳେ ପରିବା ଚାଷ ପାଇଁ କ୍ଷତିପୂରଣ ମିଳୁ ନଥିବାରୁ ଅନେକ ଚାଷୀ ମୁଁହ ଫେରାଇ ନେଉଥିବା ଶୁଣାଯାଇଛି । ସେହିପରି ବ୍ଲକରେ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ନଥିବାରୁ ଅଧିକ ଅମଳ ସମୟରେ ବଳକା ପରିବା ଚାଷୀ ସାଇତି ରଖିପାରୁନାହାନ୍ତି । ଏବଂ ଏବେ କମ୍ ଉତ୍ପାଦନ ସମୟରେ ପରିବା କିଣିବା ଖାଉଟିଙ୍କୁ ସୁହାଉ ନାହିଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande