
ମାଲକାନଗିରି , ୧୭ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ନେଇ ଜେଲ୍ ସମ୍ମୁଖରେ ଗତକାଲି ରାତ୍ରରେ ଧାରଣା ଦେବା ସହ ପରିବାର ଲୋକେ ଶବକୁ ଧରି ୩୨୬ ଜାତୀୟ ରାଜପଥ ଘେରାଉ କରିଥିଲେ । ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରେ ଜେଲ ପରିସରରେ ଏକ ପ୍ଲାଟୁନ ଫୋର୍ସ ମୃତୟନ ରହିଛନ୍ତି ।
ସୂଚନାନୁସାରେ, ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା। ପ୍ରାୟ ତିନି ମାସ ତଳେ କୌଣସି ଏକ ମାମଲାରେ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଲକିନାଥ ପ୍ରତିଦିନ ଭଳି ବୁଧବାର ସକାଳେ ମଧ୍ୟ ପରିବାର ସଦସ୍ୟଙ୍କ ସହ ଫୋନରେ କଥା ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ନିକଟକୁ ଜେଲ୍ ପକ୍ଷରୁ ଫୋନ୍ ଆସିଥିଲା। ଲକିନାଥଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ନିଆଯାଇଥିବା ଜଣାଯାଇଥିଲା।ପରିବାର ଲୋକେ ମେଡିକାଲରେ ପହଞ୍ଚିବା ବେଳକୁ ଲକିନାଥଙ୍କ ମୃତ୍ୟୁ ଘଟିସାରିଥିଲା। ଏହା ଜାଣିବା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୃତ୍ୟୁର କାରଣକୁ ନେଇ ପ୍ରଶ୍ନ ଉଠାଇ ପରିବାର ଲୋକେ ମେଡିକାଲ ପରିସରରେ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ ସହ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଲାସକୁ ଧରି ମେଡିକାଲରୁ ପ୍ରାୟ ୩ କିଲୋମିଟର ଷ୍ଟ୍ରେଚର ରେ ଠେଲି ଠେଲି ଜିଲ୍ଲା କାରାଗାରକୁ ଶବକୁ ନେଇ ସେଠାରେ ଧାରଣା ଦେଇଥିଲେ । ପୁଲିସ ଯେତେ ବୁଝାଇଲେ ମଧ୍ୟ ଲୋକେ ନିଜ ଜିଦରେ ଅଟଳ ଥିଲେ।ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ଗଞ୍ଜାମ ଜିଲ୍ଲାର କଏଦୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହେବାରୁ କାରାଗାରରେ କଏଦୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ