
ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ ପତ୍ରାପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ବେଆଇନ ଭାବେ କୁଚିଆ ମଦ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପତ୍ରାପାଲି ଛକରେ ଜାତୀୟ ରାଜପଥ-୪୯ କଡ଼ରେ ଏହି ବିଦ୍ୟାଳୟ ଅବସ୍ଥିତ। ପ୍ରତିଦିନ ପ୍ରାୟ ୪୦୦ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଥିବା ବେଳେ ବିଦ୍ୟାଳୟର ଶହେ ମିଟର ପରିସର ମଧ୍ୟରେ ୪ରୁ ଅଧିକ ସ୍ଥାନରେ ପାଉଚ୍ ମଦ ବିକ୍ରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ଯୋଗୁଁ ପତ୍ରାପାଲି ଛକରେ ମଦ୍ୟପଙ୍କ ଭିଡ଼ ବଢ଼ୁଥିବା ଏବଂ ଏହାର କୁପ୍ରଭାବ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ଅଭିଯୋଗ ହୋଇଛି। କୋଲାବିରାରେ ଏକ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ବିକ୍ରୟ କେନ୍ଦ୍ର ରହିଛି। ନିର୍ଦ୍ଧାରିତ ସ୍ଥାନରେ ମଦ ବିକ୍ରି ପାଇଁ ଅନୁମତି ଥିବା ସତ୍ତ୍ୱେ ପତ୍ରାପାଲି ସ୍କୁଲ ନିକଟରେ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଚିଆ ମଦ ବିକ୍ରି ହେଉଥିବା ମଧ୍ୟ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ପୁଲିସ ଓ ଅବକାରୀ ବିଭାଗ ଅବଗତ ଥିଲେ ମଧ୍ୟ ଏଯାଏଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି। ତେଣୁ ବିଦ୍ୟାଳୟ ନିକଟରେ ଚାଲୁଥିବା କଥିତ ବେଆଇନ ମଦ ବିକ୍ରି ବନ୍ଦ କରିବା ସହ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ