

ସମ୍ବଲପୁର, ୧୯, ସେପ୍ଟେମ୍ବର (ହି.ସ.)ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଏକ ଅପରାଧିକ ମାମଲାର ତଦନ୍ତ କରି ଏଥିରେ ସମ୍ପୃକ୍ତ କୁଖ୍ୟାତ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ମାରଣାସ୍ତ୍ର ଓ ଲୁଟି ନେଇଥିବା ମୋବାଇଲ ଜବତ କରିବାରେ ସଫଳ ହୋଇଛି । ପୋଲିସର ସୂଚନା ମୁତାବକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ୩୬ ବର୍ଷିୟ ହବିବ ନାସିରୁଦ୍ଧିନ ସେକ୍ ନାମକ ଜଣେ ମିସ୍ତ୍ରୀ ମହତାବ ନଗରରେ ଭଡ଼ା ଘରେ ରହି ଅନ୍ୟ ସାଥୀ ମିସ୍ତ୍ରୀ ମାନଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳର ବିଲ୍ଡିଂ କାମ କରିଥାଏ । ସେପ୍ଟେମ୍ବର ୧୭ ତାରିଖ ଅପରାହ୍ନ ୫ଟା ବେଳେ ଟୁଲୁ ଓରଫ ତନ୍ମୟ ବାନଛୋର ନାମକ ଅଭିଯୁକ୍ତ ଓ ତା'ର ଦୁଇ ସହଯୋଗୀ ହବିବର ଘରକୁ ଆସି କିଛି ଟଙ୍କା ଦାବି କରିଥିଲା । ହବିବ ଏହି ଦାବି ଟଙ୍କା ଦେବାକୁ ରୋକଠୋକ ମନା କରିବାରୁ ତନ୍ମୟ ହଠାତ୍ ଏକ ଧାରୁଆ ଛୁରୀରେ ହବିବ୍ କୁ ମରଣାନ୍ତକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଏହାପରେ ଅଭିଯୁକ୍ତ ଓ ତା' ସହଯୋଗୀ ମାନେ ହବିବକୁ ଛାଡ଼ି ହବିବର ଭାଇ କାହ୍ନୁ ସେକ୍ କୁ ଛୁରୀରେ ଭୟଭୀତ କରାଇ ତା' ହାତରୁ ଏକ ନୀଳ ରଙ୍ଗର ଓପୋ ଏ- ୫୩ ମୋବାଇଲ୍ ଫୋନ୍ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କରେ ହବିବ୍ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏ ସମ୍ପର୍କରେ ୩୯୬/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତର ହୁଲିଆ ଓ କାରନାମା ଆଧାରରେ ବୁର୍ଲା ମହତାବ ନଗରର ସୁଶିଲ ବାନଛୋରର ୨୯ ବର୍ଷିୟ ପୁଅ ଟୁଲୁ ଓରଫ ତନ୍ମୟ ବାନଛୋରକୁ ଧରି ଥାନାକୁ ଆଣି ଜେରା କରିଥିଲା । ଜେରା ବେଳେ ଘଟଣାର ସମସ୍ତ ସତ୍ୟତା ଜଣା ପଡ଼ିବା ପରେ ପୋଲିସ ଟୁଲୁକୁ ୩୯୬/୨୬ ମାମଲାରେ ଗିରଫ କରିଥିଲା । ଟୁଲୁ ନିକଟରୁ ଘଟଣା ଦିନ ଲୁଟ୍ ହୋଇଥିବା ନୀଳ ରଙ୍ଗର ଓପୋ ଏ- ୫୩ ମୋବାଇଲ୍ ଫୋନ୍ ଉଦ୍ଧାର କରିବା ସହ ବେଣ୍ଟ ନଥିବା ଏକ ଧାରୁଆ ଛୁରୀ ମଧ୍ୟ ପୋଲିସ ଜବତ କରିଥିଲା । ପୋଲିସର ସୂଚନା ଅନୁସାରେ କେବଳ ବୁର୍ଲା ଥାନାରେ ଟୁଲୁ ଓରଫ ତନ୍ମୟ ବନଛୋର ବିରୋଧରେ ପୂର୍ବରୁ ୧୯ ଟି ଅପରାଧିକ ମାମଲା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ