ଝାରସୁଗୁଡ଼ାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପ୍ରସ୍ତୁତି ସମୀକ୍ଷା
Review of Preparations for ‘Seva Sankalp Abhiyan-2026’ in Jharsuguda
ଝାରସୁଗୁଡ଼ାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପ୍ରସ୍ତୁତି ସମୀକ୍ଷା


ଝାରସୁଗୁଡ଼ା, ୨୦ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’କୁ ସଫଳତାର ସହ ରୂପାୟନ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି।

ସମୀକ୍ଷା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ଜିଲ୍ଲା ଶିକ୍ଷା ଓ ମଙ୍ଗଳ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ସ୍ୱପ୍ନର ଭାରତ’ ଶୀର୍ଷକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୫ ଯାଏଁ ପ୍ରତ୍ୟେକ ପଞ୍ଚାୟତର ଜନଗହଳିପୂର୍ଣ୍ଣ ସ୍ଥାନରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ପଥପ୍ରାନ୍ତ ନାଟକ ଏବଂ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଅଙ୍ଗନ କା ଉତ୍ସବ’ ଆୟୋଜନ କରାଯିବ। ଅକ୍ଟୋବର ୭ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ ୧୦ଟି ଲେଖାଏଁ ସଫଳତାର କାହାଣୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଠାରେ ପ୍ରଦର୍ଶିତ ହେବ। ଏହି ବାସ୍ତବ ପରିବର୍ତ୍ତନର କାହାଣୀଗୁଡ଼ିକୁ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଜରିଆରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅକ୍ଟୋବର ୭ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବିଶାଳ ‘ସେବା ଜ୍ୟୋତି ଯାତ୍ରା’ ପୁରୁଣା ବସଷ୍ଟାଣ୍ଡରୁ ବାହାରି ମଙ୍ଗଳବଜାର ଅଡିଟୋରିୟମ ପର୍ଯ୍ୟନ୍ତ ପରିକ୍ରମା କରିବ। ଏଥିରେ କଳସ ଯାତ୍ରା, ବିଭାଗୀୟ ସଚେତନତା ବିଜ୍ଞାପନ ମେଢ଼ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭବ୍ୟ ରଙ୍ଗୋଲି ପ୍ରସ୍ତୁତ କରାଯିବ। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ୨୫ଟି ପ୍ରମୁଖ ସେବା କାର୍ଯ୍ୟକ୍ରମ ଚାଲୁ ରହିବ; ଯେଉଁଥିରେ ରକ୍ତଦାନ ଶିବିର, ଅନାଥାଶ୍ରମ ଓ ବୃଦ୍ଧାଶ୍ରମ ପରିଦର୍ଶନ, ପଞ୍ଚାୟତ ସ୍ତରରେ ସାମୂହିକ ଭାବେ ୫୪,୦୦୦ ବୃକ୍ଷରୋପଣ, ଗ୍ରାମ ପୋଷ୍ୟ ଗ୍ରହଣ, ସ୍ୱାସ୍ଥ୍ୟ ପରୀକ୍ଷା, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ଅଙ୍ଗଦାନ ସଂକଳ୍ପ ଏବଂ ସାଇବର ସୁରକ୍ଷା ଭଳି ଜନହିତକର କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହାସହ ଏମଏସଏମଇ ବିଭାଗ ଦ୍ୱାରା ଶ୍ରେଷ୍ଠ ଇନୋଭେଟର ଓ ଷ୍ଟାର୍ଟଅପ୍ ପ୍ରଦର୍ଶନୀ, ଲାଇଭ୍ ଡେମୋ ସହ ଯୁବ ସମ୍ବାଦ ଆୟୋଜିତ ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ଲକ ସ୍ତରରେ ‘ସେବା ସେତୁ’ ଶିବିର ଜରିଆରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଯିବ। ଏହି କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବାକୁ ପ୍ରତି ମାସର ପ୍ରତ୍ୟେକ ରବିବାର ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ମିଶି ଗୋଟିଏ ଲେଖାଏଁ ଗାଁ ସଫେଇ କରିବାକୁ ବିଧାୟକ ଆହ୍ୱାନ ଦେଇଛନ୍ତି।

ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଓରମାସ ଡେପୁଟି ସିଇଓ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande