
ଆଇଚି-ନଗୋୟା, ୨୨ ସେପ୍ଟେମ୍ବର (ହି.ସ.)- ପାକିସ୍ତାନ ମହିଳା କ୍ରିକେଟ୍ ଦଳ ମଙ୍ଗଳବାର ଦିନ ଏସୀୟ କ୍ରୀଡ଼ାର ତୃତୀୟ ସ୍ଥାନ ନିମନ୍ତେ ମୁକାବିଲାରେ ବାଂଲାଦେଶକୁ ୩୧ ରନ୍ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି ।
ନିସ୍ସିନ ର କୋରୋଗି ସ୍ପୋର୍ଟସ୍ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୪୫ ରନ୍ କରିଥିବା ବେଳେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ସାତ ୱିକେଟ୍ ହରାଇ ମାତ୍ର ୧୧୪ ରନ୍ କରିପାରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଶୱାଲ ଜୁଲଫିକାର ଏବଂ ଗୁଲ ଫିରୋଜାଙ୍କ ସହ ଭଲ ଆରମ୍ଭ କରିଥିଲା । ଏହି ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ । ନାହିଦା ଅଖତର ଫିରୋଜାଙ୍କୁ ଆଉଟ୍ କରିଥିଲେ । ସେ ୨୩ଟି ବଲ୍ ରେ ୬ଟି ଚୌକା ସହ ୩୧ ରନ୍ କରିଥିଲେ ।
ଏହାପରେ ସାୟରା ଜାବିନ୍ କ୍ରିଜ୍ କୁ ଆସିଥିଲେ, କିନ୍ତୁ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ ଏବଂ ୫ ରନ୍ କରି ଆଉଟ୍ ହୋଇଥିଲେ । ଜୁଲଫିକାର ୨୭ଟି ବଲ୍ ରେ ୧୭ ରନ୍ କରିଥିବା ବେଳେ ଇମାନ ଫାତିମା ଖାତା ଖୋଲି ପାରିନଥିଲେ । ଆୟେଶା ଜାଫର ନଅ ରନ୍ କରିଥିଲେ, କିନ୍ତୁ ଶାଂଜିଦା ଅଖତର ମେଘଲା ମଧ୍ୟ ତାଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ଗୋଟିଏ ସମୟରେ ପାକିସ୍ତାନର ସ୍କୋର ପାଂଚ ୱିକେଟ୍ ହରାଇ ୬୭ ରନ୍ ଥିଲା ।
ଅଧିନାୟକ ଫାତିମା ସାନା ଆଲିଆ ରିଆଜଙ୍କ ସହ ମିଶି ଇନିଂସକୁ ସମ୍ଭାଳିଥିଲେ । ଏହି ଯୋଡ଼ି ଷଷ୍ଠ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ । ରିୟାଜ ୨୨ଟି ବଲ୍ ରେ ଦୁଇଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍ କରିଥିଲେ । ଫାତିମା ସାନା ନିଜର ୪୫ ରନର ଇନିଂସରେ ତିନୋଟି ଚୌକା ଓ ତିନୋଟି ଛକା ମାରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା । ଇନିଂସ୍ ର ଶେଷ ବଲ୍ ରେ ଫାତିମା ଆଉଟ୍ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ