
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମାଇନ୍ସ ସମେତ ମାଇଣ୍ଡ ଇକୋନୋମିକୁ ଗୁରୁତ୍ୱ ଦିଆଯାଉଛି । ନୂତନ ପିଢି ଶିଳ୍ପାୟନର ଆଧାରଶିଳା ହେଉଛି ଡାଟା ସେଂଟର ଓ ଏଆଇ । ରାଜ୍ୟରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୬ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତୁପକ୍ଷ ବୈଠକରେ (ଏଚ୍ଏଲ୍ସି) ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସର ଅନୁମୋଦନ ପ୍ରଦାନ କରାଯାଇଛି । ବୈଠକରେ ୨୭ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିବା ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିପୁଳ ନିଯୁକ୍ତି, ଶିଳ୍ପ ବିବିଧତା ଓ ସମାବେଶୀ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ମୋଟ ପ୍ରାୟ ୨.୪୭ ଲକ୍ଷ କୋଟିର ନିବେଶ ସହିତ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୫ଟି ଜିଲ୍ଲାରେ ସ୍ଥାପିତ ହେବା ସହିତ ପ୍ରାୟ ୫୦,୧୬୨ଟି ନୂତନ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିବ । ଏହା କେବଳ ନିବେଶର ପରିମାଣକୁ ଦର୍ଶାଉନାହିଁ, ବରଂ ଓଡ଼ିଶାରେ ଶିଳ୍ପ, ପ୍ରଯୁକ୍ତି, ଭିତିଭୂମି ଓ ମାନବ ସମ୍ବଳ ବିକାଶ ପାଇଁ ବଢ଼ୁଥିବା ସୁଯୋଗକୁ ମଧ୍ୟ ପ୍ରତିଫଳିତ କରୁଛି । ବିଶେଷକରି ଆଇଟି, ଆଇଟିଇଏସ୍ ଓ ଡାଟା ସେଂଟର କ୍ଷେତ୍ରରେ ପ୍ରାୟ ୧.୪୩ ଲକ୍ଷ କୋଟିର ନିବେଶ ଅନୁମୋଦିତ ହେବା ଓଡ଼ିଶାର ଅର୍ଥନୀତିକୁ ନୂତନ ପ୍ରଯୁକ୍ତି ଓ ଡିଜିଟାଲ୍ ଅର୍ଥନୀତି ସହିତ ଯୋଡ଼ିବାର ଅବସର ସୃଷ୍ଟି କରିବ । ଖୋର୍ଦ୍ଧାରେ ପ୍ରସ୍ତାବିତ ଇଂଟିଗ୍ରେଟେଡ୍ ଡାଟା ସେଂଟର ପାର୍କ ଭଳି ପ୍ରକଳ୍ପ ସମେତ କଟକ ପୁରୀର ଅନୁମୋଦିତ ଡାଟା ସେଂଟର ରାଜ୍ୟର ଡିଜିଟାଲ୍ ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ସହିତ ଭବିଷ୍ୟତରେ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ, ଡିଜିଟାଲ୍ ସେବା ଓ ଅନ୍ୟାନ୍ୟ ଉଚ୍ଚ ପ୍ରଯୁକ୍ତି କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ । ବିଜେଡି ଠାରୁ ଉତରାଧିକାର ସୂତ୍ରରେ ପାଇଥିବା ଦୁର୍ବଳ ଡାଟା ସେଂଟର ଇକୋସିଷ୍ଟମରେ ଏହା ନୂତନ ଜୀବନ ଭରିଦେବ । ଏହା ସହିତ ଶକ୍ତି, ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଜାହାଜ ନିର୍ମାଣ ଓ ଅନ୍ୟାନ୍ୟ ଆଧୁନିକ ଶିଳ୍ପ କ୍ଷେତ୍ରରେ ନିବେଶ ଓଡ଼ିଶାର ଶିଳ୍ପ ଭିତିକୁ ଆହୁରି ବିବିଧ ଓ ସୁଦୃଢ଼ କରିବ। ଦେବଗଡ଼ ଓ ଅନୁଗୋଳରେ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ଅନୁମୋଦନ ମଧ୍ୟ ରାଜ୍ୟର ଶକ୍ତି ଭିତିଭୂମି ବିକାଶ ଦିଗରେ ଅତ୍ୟନ୍ତ ଅନୁକୂଳ ହେବ ।
ଏହି ବୃହତ୍ ନିବେଶ ରାଜ୍ୟରେ ନୂତନ ଶିଳ୍ପ ସୃଷ୍ଟି ସହିତ ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ସ୍ଥାନୀୟ ବ୍ୟବସାୟ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ପରୋକ୍ଷ ଭାବରେ ମଧ୍ୟ ଅନେକ ସୁଯୋଗ ଆଣିପାରିବ। ନୂତନ ଶିଳ୍ପ ସହିତ ଦକ୍ଷତା ବିକାଶ, ସପ୍ଲାଏ ଚେନ୍, ସେବା କ୍ଷେତ୍ର ଓ ସ୍ଥାନୀୟ ଅର୍ଥନୀତିର ବିକାଶର ମଧ୍ୟ ସମ୍ଭାବନା ସୃଷ୍ଟି କରିବ । ଓଡ଼ିଶାକୁ ଏକ ନିବେଶ-ଅନୁକୂଳ, ଶିଳ୍ପ-ଅନୁକୂଳ ଓ ଭବିଷ୍ୟତମୁଖୀ ରାଜ୍ୟ ଭାବେ ଆଗେଇ ନେବା ସହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ଏବଂ ଶିଳ୍ପାୟନକୁ ସମାବେଶୀ ଓ ବିବିଦ୍ଧ କରିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଓ ନୂତନ ଅଧ୍ୟାୟ ।
ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଏବଂ ଓଡ଼ିଶାରେ ବୃହତ୍ ନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ବିଜେପି ତରଫରୁ ଆନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ବୋଲି ଏକ ମିଳିତ ବିବୃତି ଜରିଆରେ ବିଜେପିର ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଓ ବିଜେପି ଶିଳ୍ପ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଡ. ତପନ ଚାନ୍ଦ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା