
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଧାମନଗର ବ୍ଲକ ଅଞ୍ଚଳରେ ହରିଶ୍ଚନ୍ଦ୍ର ସହାୟତା ଯୋଜନା ବାଟବଣା ହୋଇଛି। ଗତ କିଛି ମାସ ହେଲା ହିତାଧିକାରୀଙ୍କୁ ଏ ଟଙ୍କା ଦିଆଯାଉନଥିବା ଦେଖିବାକୁ ମିଳିଛି। ନିକଟରେ ଆନନ୍ଦପୁର ପଞ୍ଚାୟତରେ ଦିନକରେ ୪ ଜଣ ଗରିବ ଶ୍ରେଣୀର ବ୍ୟକ୍ତି ପ୍ରାଣ ହରାଇଥିଲେ। ଆନନ୍ଦପୁର ଜେନା ସାହିର ରବୀନ୍ଦ୍ର ଜେନା କର୍କଟ ରୋଗ ଯୋଗୁଁ ପ୍ରାଣ ହରାଇଲେ। ବିମ୍ବାଧର ମହାନ୍ତି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଓ ଭୀମସେନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ତିନି ପରିବାର ଗରିବ ଶ୍ରେଣୀର। ହେଲେ ସପ୍ତାହେ ପରେ ବି ସେମାନଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ମିଳିନାହିଁ। ଏ ସଂପର୍କରେ ଆନନ୍ଦପୁର ସରପଞ୍ଚ ମିନା ମାଝିଙ୍କୁ ପଚାରିବାରୁ ସେ କହିଲେ ଯେ, ସରକାର ଟଙ୍କା ଦେଉନାହାନ୍ତି। ଆମେ କ’ଣ ଘରୁ ଆଣି ଟଙ୍କା ଦେବୁ?କେବଳ ଆନ୍ଦପୁର ନୁହଁ। ରାଧାବଲ୍ଲଭପୁର, ଗୋବିନ୍ଦପୁର, କରଦା, ପଧାନି, ଦୋବଲ, ନଦୀଗାଁ ଓ ଅର୍ଜୁନପୁର ପଞ୍ଚାୟତରେ କେହି ଜଣେ ହେଲେ ମୃତକଙ୍କ ନିକ ସଂପର୍କୀୟଙ୍କୁ ୨୦୨୫ରେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ôଥକ ସହାୟତା ମିଳିନାହିଁ। ସେହିଭଳି ଗଡ଼ିଆଳି, କଲ୍ୟାଣୀ ପଞ୍ଚାୟତରୁ ଦୁଇ ଜଣ ଲେଖାଏ ହରିଶ୍ଚନ୍ଦ୍ର ସହାୟତା ପାଇଛନ୍ତି। ଗତ ତିନି ବର୍ଷ ହେଲା ଧାମନଗର ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା ଠିକ୍ ଠାକ୍ ଥିଲା। ୨୦୨୨ ରେ ୧୧୩୭ ଜଣଙ୍କୁ ୨୨ ଲକ୍ଷ ୭୪ ହଜାର ଟଙ୍କା, ୨୦୨୩ରେ ୯୦୦ ଜଣଙ୍କୁ ୨୪ ଲକ୍ଷ ୫୯ ହଜାର, ୨୦୨୪ରେ ୧୨୧୪ ଜଣଙ୍କୁ ୩୬ ଲକ୍ଷ ୪୨ ହଜାର ଓ ୨୦୨୫ରେ ଅଗଷ୍ଟ ପହିଲା ସୁଦ୍ଧା ୩୨୦ ଜଣଙ୍କୁ ସହାୟତା ଦିଆଯାଇଛି। ପୂର୍ବ ତିନି ବର୍ଷର ତଥ୍ୟ ଅନୁସାରେ ଚଳିତ ବର୍ଷ ଖୁବ୍ କମ୍ ଲୋକଙ୍କୁ ହରିଶ୍ଚନ୍ଦ୍ର ସହାୟତା ଦିଆଯାଇଛି। ସରପଞ୍ଚ, ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ଅନୁସାରେ, ହରିଶ୍ଚନ୍ଦ୍ର ସହାୟତା ଟଙ୍କା ଆସୁନଥିବାରୁ ଲୋକଙ୍କୁ ଦିଆଯାଇ ପାରୁନାହିଁ। ହେଲେ ସରକାରଙ୍କ ନିୟମାବଳୀ ଭିନ୍ନ କଥା କହୁଛି। ଗରିବ ଶ୍ରେଣୀର ପରିବାରରେ କେହି ଜଣେ ଆତ୍ମୀୟଙ୍କର ପରଲୋକ ଘଟିଲେ, ତାଙ୍କର ଶେଷକୃତ୍ୟ ପାଇଁ କିଛି ଗୋଟେ ସହାୟତା ଦେବାକୁ ୨୦୧୩ରେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ କାହାର ମୃତ୍ୟୁ ହେଲେ ତାଙ୍କ ନିକଟତମ ସଂପର୍କୀୟଙ୍କୁ ୨୦୦୦ ଟଙ୍କା ଦିଆଯାଉଥିଲା। ଏହି ଟଙ୍କା ଦେବା ଲାଗି ପ୍ରତି ପଞ୍ଚାୟତକୁ ରିଭଲଭିଂ ଫଣ୍ଡ ନାଁରେ ୧୫୦୦୦ ଟଙ୍କା ମଧ୍ୟ ରଖିବାକୁ ନିର୍ଦ୍ଦେଶ ଥିଲା। ଏଣୁ କାହାର ମୃତ୍ୟୁ ହେଲେ ସରପଞ୍ଚ ତତକ୍ଷଣାତ ୨୦୦୦ ଦେଇଥାନ୍ତି। ପରେ ପଞ୍ଚାୟତ ପାଣ୍ଠିରୁ ଉଠାଇଥାନ୍ତି। ପରେ ୨୦୨୩ ମାର୍ଚ୍ଚରେ ଏହି ସହାୟତା ରାଶି ୨୦୦୦ରୁ ବୃଦ୍ଧି କରି ୩୦୦୦ ଟଙ୍କା କରାଯାଇଥିଲା। ୨୦୨୩ ଓ ୨୦୨୪ରେ ସରପଞ୍ଚମାନେ ଠିକ୍ ସମୟରେ ଦେଇ ଦେଉଥିଲେ। ଚଳିତ ବର୍ଷ ଏ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଦେଖାଯାଇଛି। ଏନେଇ ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କୁ ପଚାରିବାରୁ, ଏନେଇ କୌଣସି ଅଭିଯୋଗ ମିଳିନାହିଁ। ହରିଶ୍ଚନ୍ଦ୍ର ସହାୟତା ଯୋଜନା ଲାଗି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ପାଣ୍ଠି ରହିଛି। ତା ଛଡ଼ା କୌଣସି ହିତାଧିକାରୀଙ୍କୁ ଟଙ୍କା ଦେବାର ୧୫ ଦିନ ମଧ୍ୟରେ ଆବେଦନ କଲେ, ପଞ୍ଚାୟତକୁ ସେ ଟଙ୍କା ମଧ୍ୟ ଦିଆଯାଇଥାଏ। ଯଦି ସରପଞ୍ଚ କିମ୍ବା ନିର୍ବାହୀ ଅଧିକାରୀ ଭୁଲ୍ କରୁଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ