
ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଫ୍ଲାଏଓଭର ଉପରେ ସଡକ ଦୁର୍ଘଟଣାରେ ପିଉସୀଝିଆରୀଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ସୂଚନାଯୋଗ୍ୟ, ବରଗଡ ଜିଲ୍ଲା ପଦମ୍ପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମର ଭାଇ, ଉଭଣୀ ଓ ଛୋଟ ଝିଅ ସହ ବାଇକ ଗାଡି ନମ୍ବର( ଓଡି୧୭ଭି-୭୭୮୭) ଯୋଗେ ଗୁରୁବାର ରାତିରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ଗାଡି ନମ୍ବର(ଓଡି୧୫ଏକ୍ସ-୫୩୧୫) ବାଇକକୁ ଧକ୍କା ଦେଇଥିଲା । ଫଳରେ ପାୟଲ ପଟେଲ(୨୫) ବ୍ରିଜ ତଳକୁ ଖସି ପଡିଥିଲେ । ଅନ୍ୟପଟେ ତାଙ୍କ ଝିଆରୀ ସାମିଆ ପଟେଲ(୪) ମଧ୍ୟ ଗୁରୁତର ଆହତ ହୋଇଥିଲେ । ଏମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବାଇକ ଚାଳକ ତଥା ସାମିଆଙ୍କ ବାପା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା କାର ଓ ବାଇକକୁ ଜବତ କରିଛି । ମାତ୍ର କାର ଡ୍ରାଇଭର ଫେରାର ଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ