
ବଲାଙ୍ଗିର, ୧୦ ନଭେମ୍ବର (ହି.ସ.)- ବଲାଙ୍ଗିର ମାଟିର ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ସମ୍ବାଦପତ୍ର ଅନୁସଂଧାନମୂଳକ ସମ୍ବାଦ ପରିବେଷଣ ପ୍ରତି ଆଗ୍ରହ ପ୍ରକାଶ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଖଡ଼ିଆଳ ମାଟିର ସୁଯୋଗ୍ୟ ସନ୍ତାନ ସ୍ତମ୍ଭ ଲେଖକ ତଥା ଅବସରପ୍ରାପ୍ତ ଇନ୍କମ୍ ଟେକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ‘ଅନ୍ଧ ପ୍ରଥା ପରମ୍ପରା ଓ ଆମ ସମାଜ’ ଶୀର୍ଷକରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ବଲାଙ୍ଗିର ସଦର ବ୍ଲକ୍ର ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ ଏବଂ ଟିଜିଏଚ୍ଏସ୍ର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ବରେଣ୍ୟ ଅତିଥି ଭାବେ ମଂଚ ମଣ୍ଡନ କରିଥିଲେ ।
ସଭା ସଂଚାଳନା ଦାୟିତ୍ୱରେ ରହିଥିଲେ ସାରସ୍ୱତ ସାଧିକା ସବିତା ମହରା । ସାମ୍ବାଦିକ ରାଜେଶ ଦଣ୍ଡସେନା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ସାମ୍ବାଦିକ ଦେବାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ‘କୋଶଳ ପ୍ରବାହ’ର ପରିଚାଳନା ସଂପାଦକ ଶମ୍ଭୁନାଥ ସାହୁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ