
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଆଜି ସ୍ଥାନୀୟ ବ୍ରହ୍ମପୁର ଗ୍ରାମପଂଚାୟତ ଅଧୀନସ୍ଥ ଡାଙ୍ଗୁଆସାହି ପଡିଆରେ ଭଦ୍ରକ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବ୍ଲକ୍ର ସମସ୍ତ ଗ୍ରାମପଂଚାୟତରୁ ୭୨୦ ରୁ ଉର୍ଦ୍ଧ୍ୱ ମତ୍ସ୍ୟ ଓ ପ୍ରାଣୀ ପାଳକ ଯୋଗ ଦେଇଥିଲେ। ଏଥିସହ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଆଗ୍ରହୀ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ମେଳାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଧିକରୁ ଅଧିକ ଚାଷୀ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ବ୍ରହ୍ମପୁରର ସରପଂଚ ନରହରି ସାହୁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ହୃଷିକେଶ ବେହେରା, ଭାରପ୍ରାପ୍ତ ଜିଲା ମତ୍ସ୍ୟ ଉନ୍ନୟନ ଅଧିକାରୀ ଅମର କୁମାର ସାହୁ ପ୍ରମୁଖ ଯୋଗଦେଇ ଚାଷୀ ଓ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସୁଯୋଗ ନେଇ ନିଜକୁ ଆତ୍ମନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଉପାଦେୟ ସରକାରୀ ଯୋଜନା ଦ୍ୱାରା ଭଦ୍ରକ ବ୍ଲକ୍ ଏବଂ ଜିଲାରେ କ୍ଷୀର, ଅଣ୍ଡା, ମାଂସ ଓ ମାଛ ଉତ୍ପାଦନରେ ଏକ ଅଗ୍ରଣୀ ଜିଲା ଭାବେ ପରିଗଣିତ ହୋଇପାରିଛି। ଏହି ମେଳାରେ ପ୍ରାଣୀସଂପଦ ବିକାଶ ବିଭାଗ, ମତ୍ସ୍ୟ ବିଭାଗ, ଓମ୍ଫେଡ, ଉଦ୍ୟାନ ଓ କୃଷି ବିଭାଗ, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ସଫଳ ଚାଷୀ ଭାବେ ପ୍ରାଣୀ ସଂପଦ ଓ ମତ୍ସ୍ୟ ବିଭାଗରୁ ୪ ଜଣ ଲେଖାଏଁ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଲା ମାଧ୍ୟମରେ ଚାଷୀମାନଙ୍କୁ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଉପ ନିର୍ଦ୍ଦେଶକ ଡ. ଭକ୍ତହରି ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ