
ମୌଳିକ ସମସ୍ୟା ପୂରଣ ଦାବୀ ନେଇ ଗ୍ରାମବାସୀଙ୍କ ଗଣଧାରଣା
ବାରିପଦା, , 12 ନଭେମ୍ବର (ହି.ସ.) ଗ୍ରାମବାସୀ ମାନେ ବିଭିନ୍ନ ମୌଳିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତବାସୀ ମାନେ ଧାରଣା ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କପ୍ତିପଦା ବ୍ଲକର ରାଣୀପୋଖରୀ ଏବଂ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ମଧ୍ୟରେ ପ୍ରବାହିତ ହେଉଥିବା ଦୋମୁହାଣୀ ନଦୀ ଉପରେ ଚିର ସ୍ଥାୟୀ ପୋଲ ନିର୍ମାଣ କରାଯିବାକୁ ମୁଖ୍ୟ ଦାବି ରହିଛି। ଏହାସହିତ ଅନ୍ୟ ୯ଟି ଦାବି ପୁରଣ ପାଇଁ ଆଜି ଶରତ ବିକାଶ ମଞ୍ଚ ମିଳିତ ସହଯୋଗରେ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତବାସୀ ଏହି ପଦଯାତ୍ରା ଏବଂ ଗଣଧାରଣା ଦେଇଛନ୍ତି। ସ୍ଥାନୀୟ ଟୋଲ ଗଡିଆରେ ନିର୍ମାଣାଧିନ ବସୁଧା” ଜଳପ୍ରକଳ୍ପ ସଂପୂର୍ଣ କରିବା, କିଟିସାହିରେ ବିଦ୍ୟୁତ ସଂଯୋଗ କରାଯିବା, ରାମଚନ୍ଦ୍ରପୁର ଗ୍ରା:ପରେ ଏଫଆରଏ ୨୦୦୬ କାର୍ଯ୍ୟକାରୀ କରିବା, କେନ୍ଦୁଗୁଠ ଠାରୁ ମହୁଲଡିହା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା, ଆଲଡାସାହିରେ ଅଙ୍ଗନଓ୍ବାଡି କେନ୍ଦ୍ର ସ୍ଥାପନ କରିବା, କପ୍ତିପଦା ବ୍ଲକରେ ଏଫଆରଏ ୨୦୦୬ କାର୍ଯ୍ୟକାରୀ କରିବା , କେନ୍ଦୁଗୁଠି ଠାରୁ କଳମଗଡିଆ ପର୍ଯ୍ୟନ୍ତ ରାସ୍ତାକୁ ନିର୍ମାଣ କରିବା , ଧୋଳିପଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ କରିବା ଓ ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ କରିବା ଇତ୍ୟାଦି ଦାବି ରହିଛି। ପୂର୍ବରୁ ଏନେଇ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ତିବ୍ର କରାଯିବା ନେଈ ଚେତାବନୀ ଗ୍ରାମବାସୀ ଦେଇଛନ୍ତି। ଶରତ ବିକାଶ ମଞ୍ଚ ସଭାପତି ଗାମାଇ ରିମିଲ ଗୋଇପାଇ ନେତୃତ୍ୱରେ ଆନ୍ଦୋଳନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ