
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ମହାନ୍ତିପଡା ପଚାଂୟତ କୁଣ୍ଡି ଗ୍ରାମରେ ଘରେ କେହି ନଥିବା ସୁଯୋଗରେ ଶାଶୂକୁ ମାଡମାରି ବାପ ଘର ଲୋକଙ୍କ ସହାୟତାରେ ସୁନା ଗହଣା ଧରି ବହୂ ଚମ୍ପଟ ମାରିବା ଘଟଣା ସଂମ୍ପୃକ୍ତ ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗରୁ ଜଣାପଡେ କୁଣ୍ଡି ଗ୍ରାମର ଲକ୍ଷ୍ମୀଧର ସେଠୀ ୩ ବର୍ଷ ପୂର୍ବେ ଖଇରା ଥାନା ଅଧିନ ହରିପୁର ଗ୍ରାମର ଲକ୍ଷ୍ମୀ ସେଠୀଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ପାରିବାରିକ ମନୋମାଳିନ୍ୟ ଯୋଗୁ ଭଦ୍ରଲୋକଙ୍କ ମାଧ୍ୟମରେ ସମାଧାନ ହୋଇ କେହି କାହାରି ଘରକୁ ଯିବା ଆସିବା କରିବେ ନାହିଁ ବୋଲି ସିଦ୍ଧାନ୍ତ ହୋଇଥିଲା । ଇତିମଧ୍ୟରେ ଲକ୍ଷ୍ମୀଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ଗତ ମଙ୍ଗଳବାର ମଧ୍ୟାହ୍ନରେ ଘରେ କେହି ନଥିବାର ସୁଯୋଗରେ ବହୂର ବାପ ଘର ଲୋକ ଏକ ବୋଲେରୋ ଗାଡିରେ ଆସି ଶାଶୂ ସରସ୍ୱତୀଙ୍କୁ ନାନା ଧମକ ଚମକ ଦେଇ ମାଡ ମାରି ଅଚେତ୍ କରିବା ପରେ ଗଡ୍ରେଜରେ ଥିବା ୧ ଲକ୍ଷ ଟଙ୍କା, ୩ ଗୋଟି ସୁନା ଚେନ୍, କାନଫୁଲ ୧ ହଳ, ମଙ୍ଗଳସୁତ୍ର ଓ ଦୁଇଗୋଟି ମୋବାଇଲ୍ ଧରି ବହୂ ତାଙ୍କ ପୁଅକୁ ସାଙ୍ଗରେ ନେଇ ଚମ୍ପଟ ମାରିଥିଲେ । ଉପରୋକ୍ତ ଘଟଣା ନେଇ ପ୍ରଥମେ ଶାଶୂ ସରସ୍ୱତୀ ଓ ପରେ ପୁଅ ଲକ୍ଷ୍ମୀଧର ଆଗରପଡା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି । ଉପରୋକ୍ତ ଘଟଣା ନେଇ ଥାନା ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ସ୍ଥଳେ ମାମଲା ରୁଜ୍ଜୁ କରାଯିବ ବୋଲି ଥାନାଧିକାରୀ ଦେବରାଜ ଜେନା କହିଛନ୍ତି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ