
ଧର୍ମଶାଳା,୧୨ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମାଠାରେ ଥିବା ବହୁ ପୁରାତନ ଐତିହାସିକ ମଦନ ମୋହନ ଜୀଉ ମନ୍ଦିର ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ରାଜା ରାଜୁଡାସମୟରୁ ଦୀର୍ଘ ଚାରି ଶହ ବର୍ଷ ରୁ ଉର୍ଦ୍ଧ ପୂଜା ପାଇ ଆସୁଥିବା ମଦନ ମୋହନ ଜୀଉ ମନ୍ଦିର ର ଛାତ କେଉଁଠି ଭାଙ୍ଗି ଯାଇଛି ତ ଆଉ କେଉଁଠି କାନ୍ଥ ଫାଟି ଯାଇଛି । ମନ୍ଦିର ତଳ ମଧ୍ୟ ଭାଙ୍ଗି ରୁଜି ଯାଇଛି । ମନ୍ଦିର ର ସ୍ଥିତି କୁ ଦେଖି କିଛି ଜଣ ବିଦ୍ୱାନ ବ୍ୟକ୍ତିଙ୍କ ସହଯୋଗ ରେ କିଛି ଟା ସୁଧାର ଆସିଥିବା ବେଳେ ଆବଶ୍ୟକୀୟ ଅର୍ଥ ଅଭାବରୁ ରୋଷ ଘର, ନାଟ ମଣ୍ଡପ , ସମ୍ମୁଖ ଗୃହ ଏବଂ ଅନୁସାଙ୍ଗିକ ଗୃହ ଗୁଡ଼ିକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ପୁଜାଚର୍ନା କରିବାରେ ଭକ୍ତ ଓ ଶ୍ରଦ୍ଧାଳୁ ନାନା ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ଏହାର ପାଶ୍ୱର୍ରେ ରହିଛି ଏକ ବିରାଟ ପୋଖରୀ କିନ୍ତୁ ଦଳ, ଆବର୍ଜନା ରେ ଭର୍ତି ହୋଇ ଅପରିଷ୍କାର ପରିବେଶ ସୃଷ୍ଟି କରୁଛି । ଏହି ମନ୍ଦିର କାଏମା ଗ୍ରାମର ବହୁ ଐତିହାସିକ କୀର୍ତି ବହନ କରେ । ଏଠାରେ ପାରମ୍ପରିକ ରୀତି ନୀତି ରେ କହୁଁ କେଉଁ ବର୍ଷରୁ ଠାକୁରଙ୍କ ପୂଜା ଯଥାବିଧି ହୋଇଆସୁଛି । ପାଖାପାଖି ୬ଏକର ମନ୍ଦିର ର ଜାଗା ରହିଥିବା ବେଳେ ସେଥି ମଧ୍ୟରୁ ଅଳ୍ପ କିଛି ଗୁଣ୍ଠ ସ୍ଥାନରେ ମୁଖ୍ୟ ମନ୍ଦିର ରହିଛି । ଏଠାରେ ମୁଖ୍ୟତଃ ଶ୍ରୀ ରାଧାକୃଷ୍ଣ ଓ ଆଣ୍ଠୁଆ ଗୋପାଳ ପୂଜା ପାଉଛନ୍ତି । ମନ୍ଦିର ର ଚର୍ତୁପାର୍ଶ୍ୱରେ ମା ସରସ୍ୱତୀ,ଶ୍ରୀ ଗଣେଶ, ଶ୍ରୀ ହନୁମାନ ଜୀ, ନୃସିଂହ, ବରାହ, ବାମନ ସମେତ ଦଶବତାର ଙ୍କୁ ପ୍ରତ୍ୟେକ ଦିନ ପୂଜା କରାଯାଇଥାଏ । ମନ୍ଦିର ର ନିତିକ୍ରାନ୍ତି ପାଇଁ ଜଣେ ପୂଜକ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ବାଳ ଭୋଗ, କ୍ଷୀରି ଭୋଗ ଓ ଦୁଇ ଥର ଅନ୍ନ ପ୍ରସାଦ ଭୋଗ ନୀତି ହୁଏ । ଏତଦ ବ୍ୟତୀତ ବର୍ଷର ବିଭିନ୍ନ ସମୟରେ ଠାକୁର ଙ୍କ ପର୍ବ ପର୍ବାଣୀ ମଧ୍ୟରେ ହୋଲି, ମେଲଣ, ଝୁଲଣ, ରାମନବମୀ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଚାଚିରି, ଚନ୍ଦନ ଯାତ୍ରା, ରାହାସ ଉତ୍ସବ, ଲାଖ ବିନ୍ଧା, ନୃସିଂହ ଜନ୍ମ, ବାମନ ଜନ୍ମ, ଭାଗବତ ଜନ୍ମ,ଗୀତା ଜୟନ୍ତୀ ଓ ହନୁମାନ ଜୟନ୍ତୀ ଆଦି ପାଳିତ ହୁଏ । ମାତ୍ର ସମୟକ୍ରମେ ମନ୍ଦିରଟି ଭଗ୍ନ ତଥା ଜରାଜୀର୍ଣ୍ଣ ଅବସ୍ଥାକୁ ମଧ୍ୟ ଗତି କରୁଛି । କିଛି ବଦାନ୍ୟଶୀଳ ବ୍ୟକ୍ତି ସହଯୋଗର ହାତ ବଢ଼ାଇ ଥିବା ବେଳେ ମାତ୍ର ଏହା ସମ୍ପୂର୍ଣ୍ଣହୋଇ ପାରି ନାହିଁ । ଅର୍ଥ ଅଭାବରୁ ପୁନଃରୁଦ୍ଧାର କାର୍ଯ୍ୟ ଅସମ୍ପୂର୍ଣ୍ଣ ପଡ଼ି ରହିଛି । ଶହେ ବର୍ଷ ରୁ ଅଧିକ ଦିନର ବିଭିନ୍ନ ପୂଜା ମଣ୍ଡପ କୁ ସରକାର ସହାୟତା ଘୋଷଣା କରିଥିଲେ ସୁଦ୍ଧା ଏହି ମନ୍ଦିର କୁ ଅଣଦେଖା କରାଯାଇଛି । ଦୀର୍ଘ ବର୍ଷର ଆମ ସଂସ୍କୃତି ପରମ୍ପରା ଓ ଐତିହ୍ୟ ସମ୍ପନ୍ନ ମନ୍ଦିରର ଉନ୍ନତି କରଣ ଦିଗରେ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ମୁରବୀ ଓ ଆଧ୍ୟାତ୍ମିକବାଦୀମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ