
କନ୍ଧମାଳ , ୧୪ ନଭେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ଫୁଲବାଣୀ କରନେସନ ପଡିଆ ଠାରେ ଧରତୀ ଆଵା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ତଥା ଜନଜାତୀୟ ଗୌରବ ଦିବସ ସମାରୋହ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରା ନୃତ୍ୟ ନେଇ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କୁଇ ସମାଜର ସମ୍ପାଦକ ଅବନୀ କହଁର ପ୍ରମୁଖ ମଞ୍ଚାସିନ ଥିଲେ l ଆଦିବାସୀ ସମାଜ ଭାରତୀୟ ସଭ୍ୟତାର ଅଭିନ୍ନ ଅଂଶ । ସେମାନେ ନିଜସ୍ୱ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ପ୍ରାକୃତିକ ସମ୍ପଦରେ ନିର୍ଭରଶୀଳ। କିନ୍ତୁ, ଆଦିବାସୀ ଅଞ୍ଚଳମାନେ ଦୀର୍ଘଦିନ ଧରି ଦାରିଦ୍ର୍ୟ, ଅସୁସ୍ଥତା, ଶିକ୍ଷାର ଅଭାବ, ବିକାଶ ପଥରୁ ଦୁରରେ ରହି ଅନେକ ସମସ୍ୟାରେ ଜୁଝୁଥିଲେ। ଏହି ପରିସ୍ଥିତିରେ, ସରକାରୀ କର୍ମଚାରୀଙ୍କୁ ସଚେତନ, ସମ୍ବେଦନଶୀଳ ଓ କୁଶଳ କରି, ସେମାନଙ୍କ ମାଧ୍ୟମରେ ଯୋଜନାର ଲାଭକୁ ଆଦିବାସୀ ଲୋକଙ୍କୁ ସିଧାସଳଖ ଭାବରେ ପହଞ୍ଚାଇବା ଆବଶ୍ୟକ ହୋଇପଡ଼ିଲା।ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ପୂର୍ଣ୍ଣାଙ୍ଗ ବିକଶ ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି। କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ସମୁଦାୟ ୩୯୫ ଗ୍ରାମରେ ଏହି ଅଭିଯାନ ଚାଲୁ ଅଛି। ଏଥିପାଇଁ ପ୍ରାୟ ୮୦୦୦ ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥି ଚୟନ କରାଯାଇଛି ଏବଂ ପ୍ରତି ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲା ଯାଇଛି। ସେବା କେନ୍ଦ୍ରରେ ସମସ୍ତେ ଏକାଠି ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି ବୋଲି ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଏଫ ଆର୍ ଏ ଟାଇଟଲ ବଣ୍ଟନ, ଯୁବ ଉଦ୍ୟୋଗୀମାନଙ୍କୁ ଏମ ଏମ ଜେ ଜେ ଏମ ଅଧୀନ ଆର୍ଥିକ ସହାୟତା ବଣ୍ଟନ ଆଦି ବିଭିନ୍ନ ସରକାରୀ ଯୋଜନାର ସହାୟତା ବଣ୍ଟନ କରାଯାଇଥିଲା ଏବଂ ଜନଜାତୀୟ କ୍ଷେତ୍ରରେ କ୍ରିୟାଶୀଳ ସଫଳ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା । ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଭିନ୍ନ ସାଂସ୍କୃତିକ ଦଳ କନ୍ଧମାଳର ଜିଲ୍ଲାର ସଂସ୍କୃତି ଓ ପରମ୍ପରା ନୃତ୍ୟମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ-ତଥା-ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଗଦାଧର ପାତ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ପ୍ରବୀଣ ବଣୁଆ, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ଶ୍ରୀ କୃପାସିନ୍ଧୁ ବେହେରା, ଉପାଧ୍ୟକ୍ଷ, ଟ୍ରାଇଫେଡ୍ ଶ୍ରୀ ପବିତ୍ର କୁମାର କହଁରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ସରକାରୀ କର୍ମକର୍ତ୍ତା, ଲୋକ କଳାକାର, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ