
ଭୁବନେଶ୍ୱର, ୧୫ ନଭେମ୍ବର (ହି.ସ)- ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସମ୍ପ୍ରତି ସମାପ୍ତ ହୋଇଥିବା ନୂଆପଡା ଉପନିର୍ବାଚନ ଫଳାଫଳକୁ ଗମ୍ଭୀରତା ଓ ଗଭୀର ଚିନ୍ତାର ସହ ଦେଖୁଛି । ଏହି ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଓଡିଶାର ରାଜନୈତିକ ପରିବେଶ ଦକ୍ଷିଣପନ୍ଥୀ, ସାମ୍ପ୍ରଦାୟିକ ଓ କର୍ପୋରେଟ୍ ଚାଳିତ ଶକ୍ତିମାନଙ୍କ ବିଷଚକ୍ରକୁ ଆହୁରି ସୁଦୃଢ କରିଛି । ଉପନିର୍ବାଚନ ଫଳାଫଳ ସାମ୍ବିଧାନିକ ମୂଲ୍ୟବୋଧ ଓ ଲୋକମାନଙ୍କ ଅଧିକାର ରକ୍ଷା କରିବା ପାଇଁ ସଂଗ୍ରାମକୁ ଆହୁରି ତୀବ୍ର କରିବାର ଆବଶ୍ୟକତାକୁ ଦର୍ଶାଉଛି ବୋଲି ସି.ପି.ଆଇ.(ଏମ୍) ପକ୍ଷରୁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଛି।
ଏହି ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ବିରୋଧୀ ଶକ୍ତିମାନଙ୍କର ଦୁର୍ବଳତା ଓବିଶାରେ ଏକ ରାଜନୈତିକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହାକୁ ବିଜେପି ଧୃବୀକରଣ, ପ୍ରଚାର, କେନ୍ଦ୍ରୀୟ ଏଜେନ୍ସିମାନଙ୍କର ଦୁରୁପଯୋଗ, ନାନାପ୍ରକାର କାରସାଦି ଓ ଅତ୍ୟଧିକ କର୍ପୋରେଟ୍ ଅର୍ଥ ସହାୟତା ମାଧ୍ୟମରେ ଆକ୍ରମଣକାରୀ ଭାବରେ ଉପଯୋଗ କରୁଛି । ଯେତେବେଳେ ବେରୋଜଗାରୀ ଭୟଙ୍କର ସ୍ତରରେ ପହଞ୍ôଚଛି, ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବଢିଛି, କୃଷକମାନେ ଯଥେଷ୍ଟ ସରକାରୀ ସହାୟତା ବିନା ନିଜର ଜୀବିକାକୁ ରକ୍ଷା କରିବା ପାଇଁ ସଂଗ୍ରାମ କରୁଛନ୍ତି ଓ ଆଦିବାସୀମାନେ ଜମି ଓ ଜୀବିକା ହରାଉଛନ୍ତି, ସେତେବେଳେ ବିଜେପି ଲୋକମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରକୃତ ସମସ୍ୟାକୁ ସାମାଧାନ କରିବା ବଦଳରେ ସାମ୍ପ୍ରଦାୟିକ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି । ନୂଆପଡା ଉପନିର୍ବାଚନରେ ସରକାରୀ ଦଳ ଏବଂ କଳର ଲଗାମହୀନ ଅପବ୍ୟବହାର, ଅତ୍ୟଧିକ ଚାପ ଏବଂ ଅସାଧାରଣ ଭାବରେ ଅର୍ଥ ବିନିଯୋଗ ସତ୍ତ୍ୱେ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ମୂଲ୍ୟବୋଧ ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସମର୍ଥନ କରିଥିବା ସମସ୍ତ ଭୋଟରଙ୍କୁ ସି.ପି.ଆଇ.(ଏମ୍) ଆନ୍ତରିକ କୃତଜ୍ଞତା ଜଣାଉଛି ।
ସି.ପି.ଆଇ.(ଏମ୍) ବାମପନ୍ଥୀ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ପ୍ରଗତିଶୀଳ ଶକ୍ତିମାନଙ୍କ ମଧ୍ୟରେ ବ୍ୟାପକ ଏକତାକୁ ମଜବୁତ କରିବା ଓ ସାମ୍ପ୍ରଦାୟିକତାବାଦ, କର୍ପୋରେଟ୍ ଲୁଟ୍, ଭ୍ରଷ୍ଟାଚାର ଓ ଲୋକବିରୋଧୀ ନୀତି ବିରୋଧରେ ସଂଗ୍ରାମକୁ ତୀବ୍ର କରିବାର ପ୍ରତିବଦ୍ଧତାକୁ ପୁନର୍ବାର ଘୋଷଣା କରୁଛି। ସି.ପି.ଆଇ.(ଏମ୍) ଓଡ଼ିଶାରେ ଏକ ଦୀର୍ଘମିଆଦୀ ଅଭିଯାନ ଜରିଆରେ ଏକ ପ୍ରକୃତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ଜନବାଦୀ ବିକଳ୍ପ ନିର୍ମାଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟ କରିବା ପାଇଁ ଘୋଷଣା କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା