
ଜୟପୁର, ୧୫ ନଭେମ୍ବର (ହି.ସ.)- ଜୟପୁର ପୌରପାଳିକା ଡମ୍ପିଂୟାର୍ଡକୁ ନେଇ ଦେଖାଯାଉଛି ସମସ୍ୟା । ଜୟପୁର ସହର ନିକଟ ମକାପୁଟ ଠାରେ ୬ ଏକର ଜମିରେ ହୋଇଛି ଡମ୍ପି ୟାର୍ଡ଼ l ମକାପୁଟ ବାଳିକା ସେବାଶ୍ରମର ୫୦ ମିଟର ଦୂରରେ ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ବାଳିକା ସେବାଶ୍ରମର ଛାତ୍ରୀ । ଏଠାରେ ପାଠ ପଢୁଛନ୍ତି ୨୫୦ ଛାତ୍ରୀ । ଆବର୍ଜନା ଯୋଗୁଁ ସଂକ୍ରମଣ ହେବା ଆଶଂକା ଦେଖାଦେଇଛି । ସହର ସଫେଇ ଦାୟିତ୍ଵ ନେଇଥିବା ସଂସ୍ଥା ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ହୋଇଛି | ନୂତନ ଜାତୀୟ ରାଜପଥ ଆଡକୁ ମାଡି ଆସୁଛି କୂଢକୂଢ ଅଳିଆ l ବର୍ତମାନ ଏହି ଡମ୍ପିଂୟାର୍ଡ ର ଅଳିଆ ଦୁର୍ଗନ୍ଧରେ ନାକେଦମ ନିକଟରେ ଥିବା ମକାପୁଟ ସେବାଶ୍ରମର ଛାତ୍ରଛାତ୍ରୀ | ସହରର ସମସ୍ତ ଅଳିଆକୁ ଏଠାରେ ପକାଇ ସେଥିରୁ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ କରାଯାଇଥିଲା ଏହି ମୋ ଖତ ପ୍ରସ୍ତୁତି କେନ୍ଦ୍ର | ସବୁଠାରୁ ବଡକଥା ଖତ କେନ୍ଦ୍ରରେ ଖତ ପ୍ରସ୍ତୁତ ହେଲା ସତ ହେଲେ ସେଠାରୁ ବାହାରୁଥିବା ଦୁର୍ଗନ୍ଧରେ ଏବେ ବେହାଲ ନିକଟସ୍ଥ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ବସବାସ କରୁଥିବା ସହର ବାସୀ | ଖାଲି ସେତିକି ନୁହେଁ ବର୍ତମାନ ଏହି ଖତ ସଂଗ୍ରହ କେନ୍ଦ୍ରର ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗି ଯିବାରୁ ବର୍ତମାନ ଗୃହପାଳିତ ପଶୁ ବି ସେହି ଭିତରକୁ ଯାଇ ପଚାଷଢା ଖାଦ୍ୟ ଖାଉଛନ୍ତି ଯାହା ବର୍ତମାନ ସେମାନଙ୍କ ଜୀବନକୁ ବିପଦରେ ପକାଇଛି। ସେହିପରି ମୋ ଖତ ପ୍ରସ୍ତୁତି କେନ୍ଦ୍ରରେ ଚିତବିନୋଦନ ପାଇଁ ଏକ ପାର୍କ କରାଯାଇଛି କିନ୍ତୁ ଏଠି ପ୍ରଶ୍ନ ଉଠୁଛ ଦୁର୍ଗନ୍ଧ ଲାଗି ଯୋଉଠି ଲୋକମାନେ ଏକ ମିନଟ ବି ଠିଆ ହୋଇ ପାରୁ ନାହାନ୍ତି ସେଠାରେ ପାର୍କ ର ପରିକଳ୍ପନା କାହା ସ୍ଵାର୍ଥରେ | ବର୍ତମାନ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଏହି ମୋ ଖତ କେନ୍ଦ୍ରକୁ ତୁରନ୍ତ ସେଠାରୁ ସ୍ଥାନାନ୍ତରିତ କରି ସହର ଓ ଜନ ବସତି ଠାରୁ ଦୂରରେ କରାଯାଉ। ସଞ୍ଜୟ କୁମାର ସୁଆରୋ, ରବି ନାୟକ ପ୍ରମୁଖ ଏହି ଦାବି କରିଛନ୍ତି lଅନ୍ୟପଟେ ସମସ୍ୟାକୁ ନେଇ ଅଧିକାଂଶ ହଟହଟା ହେଉଛନ୍ତି ପାଖକୁ ଲାଗି ରହିଥିବା ସେବାଶ୍ରମ ବିଦ୍ୟାଳୟର ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ | ଏହି ଘଟଣାକୁ ନେଇ ପୌର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବରୁ ଡମ୍ପିଂୟାର୍ଡ ପାଇଁ ୬ ଏକର ଜମି ରହିଥିବା ବେଳେ ଜାତୀୟ ରାଜପଥ ଯିବାରୁ ବର୍ତମାନ ତାହା କମି ଯାଇ ୪ ଏକରରେ ପହଞ୍ଚିଛି | ବର୍ତମାନ ନୂତନ ସ୍ଥାନ ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ମୋ ଖତକେନ୍ଦ୍ର ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟା ଓ ଅତି ଶୀଘ୍ର ଏହାକୁ ନୂଆ ସ୍ଥାନରେ ନିର୍ମାଣ କରାଯିବ | ତା' ସହିତ ସ୍ଥାନୀୟ ବାସିନ୍ଦା ମାନେ ଗାଈ ଗୋରୁଙ୍କୁ ଖୋଲାରେ ଛାଡିବା ଦ୍ଵାରା ଦୁର୍ଘଟଣା ବି ହେଉଛି ଓ ପଶୁ ଜନ୍ତୁ ମାନେ ବାହାର ପଲଥିନ ମଧ୍ୟ ଖାଉଛନ୍ତି ଯାହା ବିପଦର କାରଣ ହେଉଛି। ବର୍ତମାନ ଡମ୍ପିଂୟାର୍ଡ ଚାରିପାଖେ କାମଚଳା ବାଉଣ୍ଡରି କରିବାକୁ ଯୋଜନା ଓ ତା' ସହିତ ଯୋଉ ମଇଳା ରାସ୍ତାକୁ ଆସୁଥିଲା ବର୍ତମାନ ତାହା ଆଉ ରାସ୍ତାକୁ ନ ଆସିବା ପାଇଁ ଜେସିବି ଲଗା ଯାଇଥିବା କଥା କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ଼ି | ତେଣୁ ପୌର ପ୍ରଶାସନ ତୁରନ୍ତ ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି