
କେନ୍ଦୁଝର, ୧୫ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହି ସରକାର ଭାରତର ବିଭିନ୍ନ ସ୍ଥାନକୁ ରେଳପଥ ସମ୍ପ୍ରସାରଣ କରିବା ପାଇଁ ଉଦ୍ୟମ କରୁଛି ଏବଂ ଏହା ସଫଳତା ମଧ୍ୟ ଲାଭ କରିଛି। ତେବେ କେନ୍ଦୁଝର ଜିଲ୍ଲାର ଏକ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ଘଟଗାଁ, ପାଟଣା, ସାହାରପଡା ଦେଇ ଗମନାଗମନ ପାଇଁ କୌଣସି ସାଧାରଣ ସୁବିଧା ନାହିଁ। ଏହି ବ୍ଲକ ଗୁଡିକ ଆର୍ଥିକ କ୍ଷେତ୍ରରେ ଅନେକ ପଛୁଆ ଥିବାରୁ ଦୂରଦୂରାନ୍ତକୁ ଶିକ୍ଷା ଗ୍ରହଣ କରିବା ପାଇଁ କିମ୍ବା ବ୍ୟବସାୟ ବାଣିଜ୍ୟ ପାଇଁ ସୁବିଧା ହୋଇ ପାରୁନାହିଁ। ଫଳରେ ଲୋକେ ପଛୁଆ ହୋଇ ରହିଛନ୍ତି। ତେଣୁ ହରିଚନ୍ଦନପୁର ବାଦାମପାହାଡ଼ ପର୍ଯ୍ୟନ୍ତ ରେଳପଥ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଏହି ରେଳପଥ ପାଇଁ ପାଟଣା ବଣିକ ସଂଘ, ଢେଙ୍କିକୋଟ ବଣିକ ସଂଘ, ଘଟଗାଁ ବଣିକ ସଂଘ, କରଞ୍ଜିଆ ବଣିକ ସଂଘ, ଯଶିପୁର ବଣିକ ସଂଘ ଦାବି କରିଛନ୍ତି। ଏହି ରେଳପଥ ହରିଚନ୍ଦନପୁର, ଘଟଗାଁ, ଢେଙ୍କିକୋଟ, ପାଟଣା, ସାହାରପଡା, କରଞ୍ଜିଆ, ଜଶିପୁର ଦେଇ ବାଦାମପାହାଡ଼ ପର୍ଯ୍ୟନ୍ତ ଯିବାପାଇଁ ଦାବି ହୋଇଛି। ଏହି ରେଳପଥ ନିର୍ମାଣ ପାଇଁ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ଯୁଗଳ କିଶୋର ଦାଶ, ପାଟଣା ସୁରକ୍ଷା କମିଟି ଆବାହକ ତଥା ସାମାଜିକ କର୍ମୀ ବିଜୟରତ୍ନ ପତି, ପାଟଣା ସାମ୍ବାଦିକ ସଂଘ ଆଡ଼ଭାଇଜର ନୃସିଂହ ନାଥ ସିଂହ, ସାମ୍ବାଦିକ ସଂଘ ସଭାପତି କିଶୋର ଚନ୍ଦ୍ର ମହାନ୍ତି, ଉପସଭାପତି ରଞ୍ଜନ କୁମାର ବାରିକଙ୍କ ସହିତ ବହୁ ବୁଦ୍ଧିଜୀବୀ ଦାବି ଉପସ୍ଥାନ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ଏହି ରେଳପଥ ଦାବି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସାଧାରଣରେ ଦୃଢ଼ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA