
ମୟୁରଭଞ୍ଜରେ ଖସୁଛି ପାରଦ
ଶିମିଳିପାଳର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ଛୁଇଁଲା
ଶୀତ କୁହୁଡିରେ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ
ବାରିପଦା-, 15 ନଭେମ୍ବର (ହି.ସ.)- ଶୀତର ଆଗମନ ସହ ମୟୁରଭଞ୍ଜ ଜିଲ୍ଲାବ୍ୟାପି ଶୀତ ଅନୁଭୁତ ହେଉଛି। ଶୀତ ପ୍ରକୋପରେ ଜିଲ୍ଲା ସମେତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟ ଥରୁଛି। ଶନିବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷର ସର୍ବନିମ୍ନ ୩ଡିଗ୍ରୀ ତାପମାତ୍ରା ଛୁଇଁଥିବାର ରେକର୍ଡ କରାଯାଇଛି। ସମଗ୍ର ଜିଲ୍ଲାରେ ଥଣ୍ଡା ଅନୁଭୂତ ହେଉଥିବାରୁ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଏଥିରୁ ଶିମିଳିପାଳ ଅଭୟାରଣ୍ୟ ବର୍ତ୍ତି ପାରିନାହିଁ। ବିଗତ ସପ୍ତାହ ଧରି ଜିଲ୍ଲାରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାପମାତ୍ରା ନିମ୍ନଗାମୀ ହେବା ସହ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ଛୁଇଁଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟର ଉପର ବାରାହା କାମୁଡାରେ ସର୍ବନିମ୍ନ ୩ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ଚହଲା ୭ଡିଗ୍ରୀ, ନୱଣା ୮ଡିଗ୍ରୀ, ବରେହିପାଣି ୯ଡିଗ୍ରୀ, ରାମତୀର୍ଥ ୧୪ଡିଗ୍ରୀ, ଗୁଡୁଗୁଡିଆ ୧୦ଡିଗ୍ରୀ, ସାତକୋଶିଆରେ ୧୪ଡିଗ୍ରୀ ଓ କିଆଝରିରେ ୧୩ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ପର୍ବତ ମାଳାର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ, ଲତା ମାନଙ୍କ ଉପରେ ପଡିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାର ପାତର ଭ୍ରମ ସୃଷ୍ଟି କରିଛି। ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ତୁହିନର ଆସ୍ତରଣ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଶିମିଳିପାଳର ଅନ୍ୟାନ୍ୟ ମୁଖ୍ୟ ସ୍ଥାନ ଦେବସ୍ଥଳୀ, ଜେନାବିଲ, କୁମାରୀ ଓ ତାରାଣୀବିଲା ଆଦିରେ ମଧ୍ୟ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି। ପାରଦ ଖସିବାରୁ ଶିମିଳିପାଳ ଅଭୟାରଣ୍ୟ ସମେତ ଜିଲ୍ଲାବ୍ୟାପି ଶୀତ ଅନୁଭୂତ ହେଉଛି। ତେବେ ଆଗକୁ ଆହୁରି ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି। ଯାହାକୁ ସ୍ଥାନେ ସ୍ଥାନେ ଘଣ୍ଟା ଘଣ୍ଟା ଧରି ଲୋକେ ନିଆଁ ଜାଳି ବସି ରହୁଛନ୍ତି। ତେବେ ବିଗତ ବର୍ଷ ମାନଙ୍କରେ ଶିମିଳିପାଳ ଅଭୟାରଣ୍ୟ ମଧ୍ଯରେ ସର୍ବନିମ୍ନ ଜିିରୋ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଚଳିତବର୍ଷ ମଧ୍ୟ ଆହୁରି ତାପମାତ୍ରା ଖସିବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ପିକନିକ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଆ ଛୁଟିବାରେ ଲାଗିଛି। ଶୀତ କୁହୁଡି ମଧ୍ୟରେ ଶିମିଳିପାଳର ପ୍ରାକୃତିକ ପରିବେଶର ମଜା ନେବାର ସୁଯୋଗକୁ କେହି ବି ହାତଛଡା କରିବାକୁ ଚାହିଁନାହାଁନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ