
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଚିଫ୍ ମେକାନିକାଲ ଇଞ୍ଜିନିୟରଙ୍କ ଲାଗି ବଢ଼ିଲା ଅଡ଼ୁଆ
। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କଲା ସିବିଆଇ । ଆୟ ତୁଳନାରେ ୧ କୋଟି ୩୧ ଲକ୍ଷ
ଟଙ୍କାର ସମ୍ପତ୍ତି ଠୁଳ ହୋଇଛି । ପାରାଦୀପ ପୋର୍ଟର ତତ୍କାଳୀନ ଚିଫ୍ ମେକାନିକାଲ ଇଞ୍ଜିନିୟର
ସରୋଜ କୁମାର ଦାସଙ୍କ ଲାଗି ବଢ଼ିଛି ଅଡୁଆ । ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା
ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ସେ
ଆୟ ଠାରୁ ୧ କୋଟି ୩୧ ଲକ୍ଷ ୨୭ହଜାର ଟଙ୍କା ଅର୍ଜନ କରିଛନ୍ତି । ତାଙ୍କ ଆୟ ତୁଳନାରେ ୩୩୭
ପ୍ରତିଶତ ସମ୍ପତ୍ତି ଠାବ ହୋଇଛି । ଏହି
ସମ୍ପତ୍ତିରେ ଘର, ଜମି, ସୁନାଗହଣା ସହ ଜମା ଓ ନଗଦ ରାଶି ରହିଥିବା ତଦନ୍ତରୁ
ଜଣାପଡ଼ିଛି । ଏହି ମାମଲାର ଖୋଳତାଡ଼ ପ୍ରକ୍ରିୟା ଆରମ୍ଭ କରିଛି ସିବିଆଇ । ପାରାଦୀପ ପୋର୍ଟରେ
ସେଟଲମେଣ୍ଟ କରାଇଦେବାକୁ ସରୋଜ ଦାସ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରାଥମିକ ଭାବେ ୧୮
ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଏହି ଲାଞ୍ଚ କାରବାର ମାମଲାରେ ସରୋଜଙ୍କ ସମେତ ୫ଜଣଙ୍କୁ ଗିରଫ
କରିଥିଲା ସିବିଆଇ । ସରୋଜ ଦାସଙ୍କ ସମ୍ପତ୍ତି ଯାଞ୍ଚ ପରେ କୋଟିଏ ଟଙ୍କାରୁ ଅଧିକ ସ୍ଥାବର ଓ
ଅସ୍ଥାବର ସମ୍ପତ୍ତି ମିଳିଥିଲା । ସେ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏହି ସମ୍ପତ୍ତି କରି
ଦେଇଥିଲେ । ୨୦୨୨ରେ ତାଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ଉ କରି ନଗଦ ଟଙ୍କା ଓ ସୁନାଗହଣା ଜବତ
କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା