
ଭୁବନେଶ୍ୱର, ୧୫ ନଭେମ୍ବର (ହି.ସ)- ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୫ ପାଳନ ନେଇ ଶନିବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ସୁଶ୍ରୀ ପାରୁଲ ପଟାୱାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲସ୍ଥିତ ରାଜ୍ୟ ଭିନ୍ନକ୍ଷମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ନିର୍ଦ୍ଦେଶିକା ସୁଶ୍ରୀ ପଟାୱାରୀ ଏହି ଆୟୋଜନକୁ ସଫଳ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବିଗତବର୍ଷମାନଙ୍କର ଅଭିଜ୍ଞତାକୁ ଆଧାର କରି ଚଳିତ ବର୍ଷର ଆୟୋଜନକୁ ଅଧିକ ଶୃଙ୍ଖଳିତ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ ଅନୁକୂଳ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରିବା ଉପରେ ଗୁରୁତ୍ୱ ଦେଇ ନିର୍ଦ୍ଦେଶିକା ସମସ୍ତଙ୍କୁ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କହିଥିଲେ । ଏଥିସହିତ ବିଭାଗୀୟ ଅଧିକାରୀମାନେ ସୋଆ ବିଶ୍ୱବିଦ୍ୟାଳୟ ଗସ୍ତ କରି ଏହି ଉତ୍ସବର ସଫଳ କାର୍ଯ୍ୟକାରିତା ନିମନ୍ତେ ଦାୟିତ୍ୱରେ ଥିବା ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ସହ ଏକ ସମନ୍ୱୟ ବୈଠକ କରିଥିଲେ ।
ଏହି ବୈଠକରୁ ଜଣାପଡ଼ିଛି ଯେ ସୋଆ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଠାରେ ଥିବା ପ୍ରେକ୍ଷାଳୟରେ ୧୫୦୦ରୁ ଅଧିକ ବ୍ୟକ୍ତିଙ୍କ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ଥିବା ଦୃଷ୍ଟିରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଉପଯୁକ୍ତ ହେଉଥିବାରୁ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । ସୋଆ ସ୍ଥିତ ଖେଳପଡ଼ିଆରେ ଦୃଷ୍ଟିବାଧିତ ମହିଳାମାନଙ୍କ ମଧ୍ୟରେ କ୍ରୀକେଟ୍ ଟୁର୍ଣ୍ଣାମେଂଟର ଆୟୋଜନ କରାଯିବ । ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତି , ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନୁଷ୍ଠାନ ତରଫରୁ ବିଭିନ୍ନ ଷ୍ଟଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଷ୍ଟଲ ରେଜିଷ୍ଟ୍ରେସନ୍ ପାଇଁ ବିଭାଗୀୟ ୱେବ୍ସାଇଟ୍ ରେ ଏକ ଆପ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ।
ଏହି ବୈଠକରେ ଅତିରିକ୍ତ ଶାସନ ସଚିବ, ଶ୍ରୀ ଦୀପକ ରାଉତରାୟ, ଶ୍ରୀ ଭାସ୍କର ରଇତୋ ଓ ଶ୍ରୀମତୀ ସୋନିଆ ବେହେରାଙ୍କ ସମେତ ସୋଆ ବିଶ୍ୱବିଦ୍ୟାଳୟର କର୍ମକର୍ତା, ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା