ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର
ଚମ୍ପୁଆ, , 2 ନଭେମ୍ବର (ହି.ସ.) ସାଧାରଣଲୋକ ଙ୍କ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ର ଲାଭ ଯୋଗାଇ ଦେବା ପାଇଁ ଜନସେବା ଓ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରି ଗ୍ରାମାଞ୍ଚଳ ଲୋକଙ୍କୁ ସେବା ଯୋଗାଇ ଦେବା ଯୋଜନା କରୁଥିବା ବେଳେ ଏହି ସେବା କେନ୍ଦ୍ର ଗୁଡିକରେ ସେବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କର
ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର


ଚମ୍ପୁଆ, , 2 ନଭେମ୍ବର (ହି.ସ.) ସାଧାରଣଲୋକ ଙ୍କ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ର ଲାଭ ଯୋଗାଇ ଦେବା ପାଇଁ ଜନସେବା ଓ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରି ଗ୍ରାମାଞ୍ଚଳ ଲୋକଙ୍କୁ ସେବା ଯୋଗାଇ ଦେବା ଯୋଜନା କରୁଥିବା ବେଳେ ଏହି ସେବା କେନ୍ଦ୍ର ଗୁଡିକରେ ସେବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଏହିଭଳି ଏକ ଅଭିଯୋଗ ଆସିଛି ଚମ୍ପୁଆ ଉପଖଣ୍ଡ ନାରଦପୁରରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ର ନାମରେ । ଏହି କେନ୍ଦ୍ରରେ ଜଣେ ଅସହାୟା ଆଦିବାସୀ ବୃଦ୍ଧାଙ୍କୁ ଶୋଷଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଆବାସ ଯୋଜନାରେ ବୃଦ୍ଧା ପାଇଥିବା ସବସିଡି ଅର୍ଥ ତାଙ୍କ ଜମାଖାତାରୁ ହେରଫେର ହୋଇଥିବା ବେଳେ ଏ ନେଇ ବୃଦ୍ଧା ଜଣକ ଝୁମ୍ପୁରା ବିଡିଓ ଓ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନାରଦପୁର ପଞ୍ଚାୟତ ଆଙ୍ଗୁଳିଆ ଗ୍ରାମର ବୃଦ୍ଧା ଚନ୍ଦ୍ରି ନାଏକଙ୍କ ନାରଦପୁର ସ୍ଥିତ ଏକ ଘରୋଇ ବ୍ୟାଙ୍କରେ ବୃଦ୍ଧାଙ୍କର ଏକ ଜମାଖାତା ଅଛି। ଉକ୍ତ ଆକାଉଣ୍ଟରେ ବୃଦ୍ଧା ଜଣକ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାର ଲାଭ ପାଇଥାନ୍ତି । ଚଳିତ ବର୍ଷ ବୃଦ୍ଧା ଜଣକ ଅନ୍ତଦ୍ୟୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ବେଳେ ବୃଦ୍ଧା ଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇ ନ ଥିବାରୁ ଗୃହ ଯୋଜନାର ପ୍ରଥମ କିସ୍ତିର ଅର୍ଥ ପାଇନଥିଲେ । ଏଥି ଯୋଗୁଁ ଆଧାରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ନାରଦପୁର ସ୍ଥିତ ସଞ୍ଜୀବନ ମୁଣ୍ଡାଙ୍କ ଜନସେବା କେନ୍ଦ୍ରକୁ ଯାଇଥିଲେ । ସେଠାରେ ମୋବାଇଲ ନମ୍ବର ସଂଯୋଗ କରିବାକୁ ବୃଦ୍ଧା ଜଣଙ୍କ ଟିପ ଚିହ୍ନ ଦେଇଥିଲେ । ତେବେ ଟିପ ଚିହ୍ନ ଦେବା ପରେ ବୃଦ୍ଧାଙ୍କ ଆକାଉଣ୍ଟ ରୁ ତାଙ୍କ ଅଜାଣତରେ ଟଙ୍କା କଟିବା ଆରମ୍ଭ ହେଲା । ଗତ ସେପ୍ଟେମ୍ବର ମାସ ୨୨ ତାରିଖ ଓ ଅକ୍ଟୋବର ମାସ ୨୧ ତାରିଖରେ ତାଙ୍କ ଆକାଉଣ୍ଟ ରୁ ହଜାରେ ଟଙ୍କା ଲେଖାଏଁ କଟିଥିବା ବେଳେ ଗତ ମାସ ୨୧ ତାରିଖ ରେ ତାଙ୍କ ଆକାଉଣ୍ଟ ରେ ଗୃହ ଯୋଜନା ର ପ୍ରଥମ କିସ୍ତି ଚାଳିଶ ହଜାର ଟଙ୍କା ଡିବିଟି ମାଧ୍ୟମରେ ଜମା ହୋଇଥିଲା । ତେବେ ବୃଦ୍ଧା ଜଣକ ତିନି ଦିନ ତଳେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ କୁ ଯିବା ପରେ ତାଙ୍କ ଆକାଉଣ୍ଟ ରୁ ଟଙ୍କା କଟିଥିବା ନେଇ ଜାଣିବାକୁ ପାଇଥିଲେ । ଗତ ମାସ ୨୫ ଓ ୨୬ ତାରିଖ ରେ ତାଙ୍କ ଆକାଉଣ୍ଟ ରୁ ଦୁଇଥର ୯୮୦୦ ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ । ତାଙ୍କ ଜମାଖାତା ରୁ ସମୁଦାୟ ୨୧୬୦୦ ଟଙ୍କା କଟିଥିବା ଜାଣିବାକୁ ପାଇଥିଲେ । ସେ ବ୍ୟାଙ୍କ ରୁ ଟଙ୍କା ଉଠାଣ କରି ନ ଥିବା ବେଳେ ତାଙ୍କ ଆକାଉଣ୍ଟ ରୁ କିପରି ଏତେ ଟଙ୍କା କଟିଲା ସେ ନେଇ ସନ୍ଦିହାନ ହୋଇ ପଡ଼ିଥିଲେ । ତାଙ୍କ ଜମାଖାତା ରୁ ସେ ଟଙ୍କା ନ ଉଠାଇ କିପରି ଏତେ ଟଙ୍କା ଉଠିଲା ଏହାର ବିଧିବଦ୍ଧ ତଦନ୍ତ ପାଇଁ ବୃଦ୍ଧା ଜଣଙ୍କ ଝୁମ୍ପୁରା ବିଡିଓ ଓ ଚମ୍ପୁଆ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଧନୀ ହେଉ କି ଗରିବ ଛୋଟ ରୁ ବଡ଼ ଅତି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ପ୍ରତିଦିନ ହଜାର ହଜାର ଲୋକ ଏହି ଜନସେବା ଓ ଗ୍ରାହକ ସେବାକେନ୍ଦ୍ର ଗୁଡିକ ଉପରେ ନିର୍ଭର କରୁଥିବାବେଳେ ଚମ୍ପୁଆ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜନସେବା ଓ ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଲୋକଙ୍କୁ ଲୁଟୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। କିନ୍ତୁ, ପ୍ରଶାସନ ପକ୍ଷରୁ ଏମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବାରୁ ଦିନକୁ ଦିନ ଜନସେବା ଓ ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ସଂଚାଳକ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତା ସହିତ କିଛି ଜନସେବା ଓ ଗ୍ରାହକ ସେବା କେନ୍ଦ୍ରର ନିଜ ନାମରେ ପଞ୍ଜି କରଣ ନ ଥାଇ ଅନ୍ୟର ପଞ୍ଜିକରଣ ରେ ସେବାକେନ୍ଦ୍ର ଚଳାଇ ଲୋକଙ୍କୁ ଶୋଷଣ କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଏହା ପଛରେ ବିଭିନ୍ନ ମହଲର ଲୋକ ସମ୍ପୃକ୍ତ ଥାଇ ଏକ ବଡ଼ ରାକେଟ କାମ କରୁଥିବା ମଧ୍ୟ କୁହା ଯାଉଛି। ଖୋଦ ମୁଖମନ୍ତ୍ରୀଙ୍କ ନିଜ ବ୍ଲକ ଝୁମ୍ପୁରା, ଚମ୍ପୁଆ ଅଞ୍ଚଳରେ ଏପରି ଘଟଣା ଘଟୁଥିଲେ ମଧ୍ୟ ଅଣଦେଖା କରା ଯାଉଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ଜନସେବା କେନ୍ଦ୍ର ଗୁଡିକ ଉପରେ ବିଧିବଦ୍ଧ ଭାବେ ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande