
ଜୟପୁର, ୨ ନଭେମ୍ବର (ହି.ସ.)- ଧର୍ମମାସ କାର୍ତ୍ତିକ । ପବିତ୍ର କାର୍ତ୍ତିକ ମାସରେ
କୋରାପୁଟ ଶାବର ଶ୍ରୀକ୍ଷେତ୍ର ଓ ଜୟପୁରରେ ଆଧ୍ୟାତ୍ମିକ ପରିବେଶ
ସୃଷ୍ଟି ହୋଇଛି । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି ପବିତ୍ର
କାର୍ତ୍ତିକ ମାସ । ପାରମ୍ପରିକ ପ୍ରଥାନୁସାରେ କାର୍ତ୍ତିକ ବ୍ରତଧାରୀ
ମହିଳା ମାନେ ଚଉରା ମୂଳରେ ଆରମ୍ଭ କରିଛନ୍ତି ରାଇ ଦାମୋଦର
ପୂଜା । ଅନେକ ଧର୍ମ ପରାୟଣ ଶ୍ରଦ୍ଧାଳୁ ପରିବାର ପାଳନ କରିଛନ୍ତି
କାର୍ତ୍ତିକ ବ୍ରତ । ବ୍ରତଧାରୀ ମହିଳା ମାନେ ପ୍ରାତଃ ରୁ ସ୍ନାନ କରି
ପୁରୋହିତ ବ୍ରାହ୍ମଣଙ୍କ ପାଖରେ ପାଣି ଟେକି ସଂକଳ୍ପ କରିଛନ୍ତି । ଯେତେ
ଦୁଃଖ, ବାଧା ବିଘ୍ନ ଆସିଲେ ବି ସେମାନେ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ
ବ୍ରତ ରଖି ରାଇ ଦାମୋଦର ପୂଜା କରୁଛନ୍ତି । ନଦୀ, ପୋଖରୀ ଅଥବା
ଚଉରା ମୂଳରେ ମହିଳା ମାନେ ବାଲୁକା ଲିଙ୍ଗ ସ୍ଥାପି ପ୍ରଥମେ
ପୂଜା କରିବା ପରେ ଚଉରା ମୂଳରେ ଏକାଠି ହୋଇ ପଞ୍ଚ ମୁରୁଜ ରେ ରାଇ
ଦାମୋଦର ମୂର୍ତ୍ତି ଆଙ୍କି କରିଛନ୍ତି । ଲିଆ, ଉଖୁଡା, ନଡ଼ିଆ, କଦଳୀ ଓ
ବିଭିନ୍ନ ଫଳମୂଳ କୁ ଏକତ୍ର ଚକଟି ସେହି ଭୋଗକୁ ରାଇ ଦାମୋଦର
ଓ ବୃନ୍ଦାବତୀ ଙ୍କୁ ଲାଗି କରିବା ସହିତ ସମସ୍ତେ ଏକତ୍ର ବନ୍ଦାପନା କରୁଛନ୍ତି
। ଚଉରା ମୂଳରେ କଉଡ଼ି ଖେଳ ଓ ଦହି ଗୋଳାଇବା କାର୍ଯ୍ୟ କରି ରାଇ
ଦାମୋଦରଙ୍କ ସ୍ମୃତି ଚାରଣ କରୁଛନ୍ତି । ଶେଷରେ ବ୍ରାହ୍ମଣଙ୍କ ନିକଟରେ
ବସି ସମସ୍ତେ କାର୍ତ୍ତିକ ପୁରାଣ ଶ୍ରବଣ କରିଥାନ୍ତି । ସଂଧ୍ୟାରେ ଚଉରା
ମୂଳରେ ଆକାଶ ଦୀପ ଜାଳି ପୂଜା କରୁଛନ୍ତି । ଏହି ବ୍ରତ ମାସ ସାରା କରି
କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ କରିଥାନ୍ତି । ମାସ ସାରା ବ୍ରତଧାରୀ
ମହିଳା ମାନେ ନିଜେ ହବିଷାନ୍ନ ରାନ୍ଧି ରାଇ ଦାମୋଦର ଙ୍କୁ ଉତ୍ସର୍ଗ କରିବା ପରେ
ଭୋଜନ କରୁଛନ୍ତି । ଏହି ହବିଷାନ୍ନରେ ସବୁ ପନିପରିବା
ପଡ଼ିନଥାଏ । ମନ୍ଦିରରେ ପ୍ରସ୍ତୁତିରେ ଯେଉଁ ସବୁ
ପନିପରିବା ବ୍ୟବହାର ହୋଇଥାଏ ସେହି ପନି ପରିବା ହବିଷାନ୍ନରେ
ବ୍ୟବହୃତ ହୋଇଥାଏ । ପ୍ରତ୍ୟେକ ଦିନ ଭୋର ଓ ସଂନ୍ଧ୍ୟା ସମୟରେ
ବ୍ରତଧାରୀ ମହିଳା ମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ
କରିଥାନ୍ତି । ରାଇ ଦାମୋଦର ପୂଜାକୁ ରାଧା ଦାମୋଦର ପୂଜା ମଧ୍ୟ କୁହାଯାଏ ।
ଶ୍ରୀ ରାଧାମଣୀ ଏହି ବ୍ରତ କରି ନିଜ ଜୀବନକୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ
କରି ଦେଇଥିଲେ ଓ ମୃତ୍ୟୁ ପରେ ବୈକୁଣ୍ଠପୁର କୁ ଯାଇ ଥିଲେ ବୋଲି
ବିଶ୍ୱାସ ରହିଛି । ଏଣୁ ନିଜ ନିଜ ସ୍ୱାମୀ ମାନଙ୍କୁ ହରାଇ ଥିବା ବିଧବା
ମହିଳା ମାନେ ଏହି ବ୍ରତ ପାଳନ କରି ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜ
ଅବଶିଷ୍ଟ ଜୀବନକୁ ଉତ୍ସର୍ଗ କରି ଦେଇଥାନ୍ତି । ଆମ ଓଡ଼ିଆ ସଂସ୍କୃତି
ଓ ପରମ୍ପରାରେ ମହିଳା ମାନେ ପାଳନ କରୁଥିବା ରାଇ
ଦାମୋଦର ବ୍ରତ ଏକ ଅନନ୍ୟ ପରମ୍ପରା ଭାବେ ପାଳିତ
ହୋଇଆସୁଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି