
ପୁରୀ, ୨ ନଭେମ୍ବର (ହି.ସ.)- ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରରେ ଆଜି ଠାରୁ ଆରମ୍ଭ ହୋଇଛି ପଂଚୁକ । ଚଳିତ ବର୍ଷ ପଂଚୁକ ୫ ଦିନ ପରିବର୍ତେ ୪ ଦିନ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ଆଜି ଠାରୁ ଆରମ୍ଭ ହୋଇଛି ପଚଂକ ନୀତି । ପଚଂକର ପ୍ରଥମ ଦିନରେ ଅର୍ଥାତ କାର୍ତିକ ମାସ ଶୁକ୍ଳ ପକ୍ଷ ଦେବୋତ୍ଥାପନ (ବଡ)ଏକାଦଶୀ ତିଥିରେ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ଏହି ବେଶକୁ ଲକ୍ଷ୍ମୀ ନାରାୟଣ ବେଶ କିମ୍ବା ଠିଆକିଆ ବେଶ କୁହାଯାଇଥାଏ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଛନ୍ତି । ପଂଚକକୁ ବାଦ୍ ଦେଲେ କାର୍ତିକ ମାସ ସାରା ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରିଥିଲେ । ହେଲେ ପଂଚକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଓ କେତେକ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଛନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତନ ହୋଇନାହିଁ ।
ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ । ଆଜି କାର୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଚୁଂକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଛନ୍ତି, ଯାହାକୁ ହରିଉତଥାପନ ଏକାଦଶୀ କୁହାଯାଇଥାଏ । ପଂଚକ ୫ ଦିନରେ ମହାପ୍ରଭୁଙ୍କ ୫ ପ୍ରକାରର ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ୫ ଦିନ ବଦଳରେ ୪ ଦିନ ଅନୁଷ୍ଠିତ ହେଉଛି ପଂଚୁକ ବ୍ରତ । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଦର୍ଶନ, ବେଢ଼ା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ