
ପ୍ରାଥମିକ ଶିକ୍ଷକ ମହାସଂଘର ବୈଠକ
ୟୁଏଏସ୍ କାର୍ଯ୍ୟକ୍ରମକୁ ବାତିଲ୍ ନ କଲେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ମହାସଂଘ
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) : ପ୍ରାଥମିକ ଶିକ୍ଷକ ମହାସଂଘର ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାର ଅଗ୍ରଣୀ ଶିକ୍ଷକ ନେତୃତ୍ୱମାନଙ୍କ ଏକ ବୈଠକ ରବିବାର ଭୁବନେଶ୍ୱର ଖାରବେଳ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ଏଯାବତ ପ୍ରାଥମିକ ଶିକ୍ଷକମାନଙ୍କ କୌଣସି ସମସ୍ୟାର ସମାଧାନ କରିନାହାଁନ୍ତି। ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଶିକ୍ଷା ଅଧିକାର ଅଧିନିୟମକୁ ଅନୁପାଳନ କରିବା ସହିତ ଖାଦ୍ୟ ସୁରକ୍ଷା ଆଇନ, ସ୍ୱାସ୍ଥ୍ୟ ସଚେତନ ତଥା ଏନ୍ଡିଡି କାର୍ଯ୍ୟକ୍ରମ ତତ୍ସହିତ ନାନାଦି ଅଣଶୈକ୍ଷିକ କାର୍ଯ୍ୟକ୍ରମର ବୋଝ ଲଦି ଦେଉଛନ୍ତି। ଅଧୁନା ୟୁଏଏସ୍ ନାମକ ଏକ ଡିଜିଟାଲ କାର୍ଯ୍ୟକ୍ରମ, ଯାହା ବ୍ୟକ୍ତିର ଗୋପନୀୟତା ତଥା ଆର୍ଥିକ ଦେଣନେଣ ପ୍ରତି ବିପଦ ଆଶାଙ୍କିତ ଯୋଜନା ଶିକ୍ଷକମାନଙ୍କୁ ମାନସିକ ବିଷାଦ ପ୍ରଦାନ କରୁଅଛି।
ପ୍ରାଥମିକ ଶିକ୍ଷକ ମହାସଂଘ ଦୀର୍ଘଦିନ ଧରି ଦୁଇଗୋଟି ମୁଖ୍ୟ ଦାବି ଯଥା : ନିଯୁକ୍ତି ଦିନଠାରୁ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଏବଂ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରିଆସୁଥିଲେ ମଧ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ପୂର୍ବ ସରକାରଙ୍କ ଭଳି ସାବତ ପୁଅର ମନୋଭାବ ପୋଷଣ କରିଆସୁଛନ୍ତି। ଏଣୁ ପ୍ରାଥମିକ ଶିକ୍ଷା ଭଳି ଏକ ସ୍ପର୍ଶକାତର ବିଭାଗର ବିଶ୍ୱକର୍ମା ବା ଶିକ୍ଷକମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ୟୁଏଏସ୍ ପୋର୍ଟାଲ କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରାଯାଉ। ନଚେତ୍ ସାରା ଓଡ଼ିଶାରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ସରକାର ପ୍ରାଥମିକ ଶିକ୍ଷକମାନଙ୍କର ଉପରୋକ୍ତ ଦୁଇଗୋଟି ଦାବିକୁ ଯଥାଶୀଘ୍ର ପୂରଣ ନକଲେ, ପ୍ରାଥମିକ ଶିକ୍ଷକ ମହାସଂଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ। ଏହି ବୈଠକରେ ଧନଞ୍ଜୟ ନାଏକ, ଶିଶିରୁ ଖଟୁଆ, ଅଜୟ କୁମାର ଧଳ, ପଦ୍ମଲୋଚନ ନାୟକ, ସୋମନାଥ ଗରଡ଼, ଚାରୁଚନ୍ଦ୍ର ବେହେରା, ଅନନ୍ଦଚନ୍ଦ୍ର ପାତ୍ର, ଲିଙ୍ଗରାଜ ବେହେରା, ଅମୀୟ ରଞ୍ଜନ ସାହୁ, ବାସୁଦେବ ପଟେଲ, ପ୍ରବୀଣ କୁମାର ଦାସ, ଭୀମସେନ ପରିଡ଼ା, ଉତ୍ତମ କୁମାର ଦାସ, ପ୍ରଶାନ୍ତ ସାହୁ, ପ୍ରିୟମ୍ବଦା ଆଚାର୍ଯ୍ୟ, ମହେଶ୍ୱର ପ୍ରଧାନ, ରଘୁନାଥ ପୁରୀ, ଜାମିନୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ