
ଚମ୍ପୁଆ, 3 ନଭେମ୍ବର (ହି.ସ.)ଚମ୍ପୁଆ ଥାନା ଅନ୍ତର୍ଗତ ଇଚିଣ୍ଡା ଅରଡେଇ ନଦୀ କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କାଳିକାପ୍ରସାଦ ଗ୍ରାମ କାଳନ୍ଦୀ ସାହିର କିରାଣୀ ବେହେରା । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ରେ କିରାଣୀ କିଛି ବ୍ୟକ୍ତିଙ୍କ ସହ ରିମୁଳି ଗ୍ରାମର ଏକ ମୃତ ବଳଦ ପୋତିବାକୁ ନଦୀ କୂଳକୁ ଯାଇଥିଲେ । ତେବେ ସେଠାରେ ମୃତ ବଳଦକୁ ପୋତିବା ବଦଳରେ କାଟୁଥିବା ଅବସ୍ଥାରେ ଦେଖି ରିମୁଳି ଗ୍ରାମର କିଛି ଯୁବକ ଆସି ସେମାନଙ୍କୁ ମାରପିଟ କରିଥିଲେ । ଏହି ଘଟଣା ଇଚିଣ୍ଡା ଗ୍ରାମର କିଛି ଲୋକଙ୍କ ନଜରକୁ ଆସିଥିଲା । ଆଜି ସକାଳୁ କିରାଣୀଙ୍କ ମୃତଦେହ ଅରଡେଇ ନଦୀକୂଳରେ ପଡିଥିବା ଦେଖି ଗ୍ରାମବାସୀ ତାଙ୍କ ପୁଅ ଅନିରୁଦ୍ଧକୁ ଖବର ଦେଇଥିଲେ । ଖବର ପାଇ ଅନିରୁଦ୍ଧ ଘଟଣାସ୍ଥଳକୁ ଆସି ପିତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ସହାୟତା ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta