
ଜୟପୁର , 3 ନଭେମ୍ବର (ହି.ସ.)ଜୟପୁର ସହରରେ କିଛି ଦିନର ବ୍ୟବଧାନ ପରେ ଲୁଟେରା ମାନେ ସକ୍ରିୟ ହୋଇ ଚୋରି କରିବାରେ ସଫଳ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି। କେଉଁ ଦିନ ଘରୁ ଚୋରି ଚ କେଉଁଦିନ ବ୍ୟବସାୟୀକ ପ୍ରତିଷ୍ଠାନ ଓ ମନ୍ଦିରରେ ବୁଲୁଛି କଳାକନା। ସହରରେ ଚୋରିହାରି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପୁଲିସ ନିଷ୍କ୍ରିୟତା କାରଣରୁ ଅନେକ ଆଉ ଥାନାକୁ ଅଭିଯୋଗ କରିବାକୁ ଆସୁ ନାହାନ୍ତି। ବହୁ ପୁରୁଣା ମାମଲାରେ ଏଯାବତ ପୁଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ। ଜୟପୁର ସହରରେ ପୁଲିସକୁ ଖାତିର ନକରି ଗୃହରେ ତାଲାଭାଙ୍ଗି ଚୋରି ହେଉଥିବା ଘଟଣା ବାରମ୍ବାର ଘଟୁଛି। ଏହିପରି ପୁଲିସ ବିଭିନ୍ନ ସମୟରେ ଏହି ଲୁଟେରା ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରୁଛି କିନ୍ତୁ ଚୋରି ଏବ˚ ଲୁଟ ମାମଲା ବୃଦ୍ଧି ପାଇବାରେ ଲାଗିଛି।
ଗତ ୧ ତାରିଖ ଶନିବାର ରାତ୍ରୀରେ ସ୍ଥାନୀୟ ଏଚ.କେ କଲୋନୀର ରବିନ୍ଦ୍ର ନାଥ ଦାଶ ଏବ˚ ତାଙ୍କ ପରିବାର ଗୃହରେ ତାଲା ଦେଇ ବାହାରକୁ ଯାଇଥିଲେ। କିନ୍ତୁ ଏହାର ପରଦିନ ସାହି ପଡିଶା ତାଙ୍କର ଘରର ମୁଖ୍ୟ ଫାଟକ ଏବ˚ କବାଟର ତାଲା ଭଙ୍ଗାଯାଇଥିବା ନେଇ ସୂଚନା ଦେଇଥିଲେ। ଗତକାଲି ପରିବାର ଲୋକମାନେ ଘରକୁ ଫେରିବା ପରେ ଘର ଭିତରେ ଥିବା ୫ଟି ଆଲମିରା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ୯ତୋଳାର ସୁନା ଏବ˚ କିଛି ରୁପା ଅଳଙ୍କାର ସମେତ ୨୫ ହଜାର ଟଙ୍କା ନେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଟାଉନ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥରେ ପହଁଚି ସ୍ଥାନୀୟ ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରିବା ସହ ସାଇଣ୍ଟିଫିକ ଦଳର ସହାୟତାର ତଦନ୍ତ ଆରମ୍ଭ କରିଛନ୍ତି। ଏହିପରି ସିସି କ୍ୟାମେରାରେ ଲୁଟେରା ମାନେ କପଡାରେ ମୁହଁ ଢାଙ୍କିଥିବା ଦୃଶ୍ୟ ହୋଇଛି। ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ଦୀପକ ପଣ୍ତା ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରୀ ରଖିଛନ୍ତି। ସେହିପରି ସେହି ଅଞ୍ଚଳର ଅନ୍ୟଜଣେ ସୌମ୍ୟରଞ୍ଜନ ଦାସଙ୍କ ଘରେ ତାଲା ପଡିଥିବା ସୁଯୋଗ ପାଇ ଚୋର ଦଳ ଚୋରି କରିବାରେ ସଫଳ ହୋଇଥିଲେ। ସୌମ୍ୟରଞ୍ଜନଙ୍କ ଘରୁ ୫୦ ହଜାର ଠାକୁର ହୁଣ୍ତି ଟଙ୍କା ସହ ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରନିକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଚୋରଦଳ ଅନ୍ୟ ୩ଟି ଘରେ ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଥିବା ଜଣାପଡିଛି। ସେହିପରି ଗତକାଲି ରାତ୍ରିରେ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଘରେ ତାଲା ପଡିଥିବା ଯୋଗୁଁ କେତେ ପରିମାଣରେ ଚୋରି ହୋଇଛି ତାହା ଆକଳନ ହୋଇ ପାରିନାହିଁ।
ଚୋରି ଉପଦ୍ରବରେ ଅତିଷ୍ଠ ହୋଇ ପଡିଥିବା ଏଚକେ କଲୋନୀ ବାସୀ ପୁଲିସ ଉପରୁ ଭରସା ତୁଟାଇବା ପରେ ବେସରକାରୀ ଭାବେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ସ୍ଥିର କରିଛନ୍ତି। ନିଜେ ସାହି ବାସିନ୍ଦା ଚାନ୍ଦା ଆଦାୟ କରି ସୁରକ୍ଷାକର୍ମୀଙ୍କୁ ଦରମା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ପୁଲିସ ପେଟ୍ରୋଲି˚ ଗାଡି ପ୍ରସାଦରାଓ ପେଟା, କୁମ୍ଭାର ସାହି ଅଞ୍ଚଳକୁ ନିୟମିତ ଭାବେ ଆସୁନଥିବା ଯୋଗୁଁ ଚୋରି ସ˚ଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଇନ୍ଦିରା ଛକରେ ହୋମଗାର୍ଡ ମାନେ ରାତି ଜଗୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ମଧ୍ୟ ଦେଖା ମିଳୁନାହିଁ। ରାତି ତମାମ ଚୋର ସହରରେ ମାତୁଥିବା ବେଳେ ପୁଲିସ ନିଷ୍କ୍ରିୟ ହୋଇଥିବା ପରି ମନେ ହେଉଛି। ତେଣୁ ଟାଉନ ପୁଲିସ ସଜାଗ ହୋଇ ସହରର ଗଳିକନ୍ଦିରେ ପେଟ୍ରୋଲି˚ ଗାଡି ପଇଁତରା ମାରିଲେ ଚୋର ଦଳକୁ ରୋକିବାରେ ସକ୍ଷମ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି