
ପୁରୀ, ୩ ନଭେମ୍ବର (ହି.ସ.)- ମହାପୂଣ୍ୟ ମହାକାର୍ତିକରେ ଶ୍ରୀକ୍ଷେତ୍ର ହୋଇଛି ଚଳଚଂଚଳ । ଚାରିଆଡ଼େ ଧାର୍ମିକ ମାହୋଲ୍ । ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ହବିଷ୍ୟାଳି କେନ୍ଦ୍ରଗୁଡିକ ରାଇଦାମୋଦର ପୂଜାରେ କମ୍ପୁଛି । ପଂଚୁକ ପାଇଁ ପଂଚତୀର୍ଥ ପୁଷ୍କରିଣୀରେ ଗହଳି ଲାଗିରହିଛି । କାର୍ତିକ ମାସରେ ପ୍ରତିଦିନ ଜଗନ୍ନାଥ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ସିଂହଦ୍ୱାରରେ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବକ ଠାକୁର ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ପଂଚୁକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।
ଅନେକ ଭକ୍ତ ଭିଡ଼କୁ ଦେଖି ନୀଳଚକ୍ର ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଛି । ମାର୍କେଟ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଚାଲିକରି ଯିବା କଷ୍ଟସାଧ୍ୟ ହୋଇପଡ଼ିଛି । ଲକ୍ଷ୍ମୀବଜାରରେ ହବିଷ୍ୟାଳିମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିଭଳି ସମୁଦ୍ରକୂଳେ ସକାଳୁ ବାଲିରେ ରାଇଦାମୋଦର ପୂଜା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ମାର୍କଣ୍ଡ ପୁଷ୍କରଣୀ, ନରେନ୍ଦ୍ର ପୁଷ୍କରଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀରେ ପଂଚକ ବ୍ରତଧାରୀମାନେ ସ୍ନାନ କରିବା ସହ ପାଣି ସିଚଂନ କରୁଥିବା ଦେଖିବାକୁ ମିଳିଛି । ହବିଷ୍ୟାଳି କେନ୍ଦ୍ର ସହ ଶ୍ରୀକ୍ଷେତ୍ରର ଅନେକ ସ୍ଥାନରେ ସଂଧ୍ୟା ସମୟରେ ମାଟି ହାଣ୍ଡିରେ ଆକାଶ ଦୀପ ଜଳୁଛି । ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳି ଓ ସହରରେ ରହୁଥିବା ହବିଷ୍ୟାଳିଙ୍କ ସମ୍ପର୍କୀୟମାନେ ହବିଷ୍ୟାଳିଙ୍କୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ପଂଚୁକରେ ଚାରିଆଡ଼େ ଧର୍ମଚର୍ଚ୍ଚା, ଭଜନ ସମାରୋହ, ପଂଚକ ମହୋତ୍ସବ ପାଳିତ ହେଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ