
ପୁରୀ, ୩ ନଭେମ୍ବର (ହି.ସ.)- କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ତଥା ଆଜି ଶ୍ରୀକ୍ଷେତ୍ରରେ ପଂଚୁକର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଛନ୍ତି ।
ଆଡ଼କିଆ ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି ହୋଇଛି । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଛି । ସବୁ ଠାକୁରମାନଙ୍କର ମୁଖର ଉପର ପାଶ୍ୱର୍ରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଛି । ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି ଓ ପଦକ ମାଳି ପିନ୍ଧାଯାଇଛି । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଇଛି । ଅବକାଶ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଛି । ଏହି ବେଶରେ ମହାପ୍ରଭୁ ଚୂଳ ଧାରଣ କରିଛନ୍ତି । ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ସିଂହଦ୍ୱାରରେ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବକ ଠାକୁର ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ତେବେ ପଂଚୁକ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
କଥିତ ଅଛି, ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ । ପଂଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି । ପଚଂକର ପ୍ରଥମ ଦିବସରେ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଗତକାଲି ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ଏବଂ କାର୍ତିକ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ