
ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ ଦାବି
ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଜାଲ ପ୍ୟାନ୍ କାର୍ଡ ଅଭିଯୋଗ ଆଣିଛି କଂଗ୍ରେସ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି ଯେ ମନ୍ତ୍ରୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କଲାବେଳେ ଯେଉଁ ପାନ ନମ୍ବରଟି ଦେଇଛନ୍ତି ତାହା ହେଉଛି ଏକେକେକେପିପି୩୩୪୨ଆର୍ । ଏହି ପାନ ନମ୍ବରଟି ତାଙ୍କର ନୁହେଁ । ଆୟକର ବିଭାଗର କର୍ତୃପକ୍ଷଙ୍କ ପାଖରୁ ଏହି ପାନକାର୍ଡର ସତ୍ୟାସତ୍ୟ ବାବଦରେ ଖବର ନେବାପରେ ଜଣାପଡ଼ିଲା ଯେ ଏହି ପାନକାର୍ଡଟି ଏକ ଇନଭ୍ୟାଲିଡ ପାନ କାର୍ଡ ଅଟେ ଅର୍ଥାତ ଏହି ପାନକାର୍ଡ଼ କାହାରିକୁ ଦିଆଯାଇ ନାହିଁ । ଫର୍ମ-୨୬ ରେ ମିଛ ତଥ୍ୟ ଦେଇଥିବା ହେତୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରିବର୍ତ୍ତେ କିପରି ଯାଞ୍ଚ ପ୍ରକ୍ରିୟାରେ କାୟମ ରହିଲା ବୋଲି କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ ଯଦି ତାଙ୍କ ନାମାଙ୍କନ ପତ୍ରରେ ଯେଉଁ ପାନ ନମ୍ବର ଦେଇଛନ୍ତି ଯଦି ତାହା ତାଙ୍କର ନୁହେଁ ଏ କଥାର ସ୍ପଷ୍ଟିକରଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖନ୍ତୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଗତ ପାଞ୍ଚ ବର୍ଷର ସେ ଯେଉଁ ୫ ବର୍ଷର ଆୟକର ଦାଖଲ କରିଥିବାର ତଥ୍ୟ ପ୍ରଦାନ କରିଛନ୍ତି ତାହା କେଉଁ ପାନ ନମ୍ବର ଅନୁସାରେ ଦେଇଛନ୍ତି ଏହା ନିର୍ବାଚନ ଆୟୋଗ ଯାଞ୍ଚ କରୁ । ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରାକୁ ବଜାୟ ରଖନ୍ତୁ ବୋଲି ସେ କହିବା ସହିତ ବିଧାୟକ ତଥା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନଳିନୀ କାନ୍ତ ନାୟକ ଓ ଡ. ମନିଷାଦାସ ପଟ୍ଟନାୟକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା