
ସମ୍ବଲପୁର, ୨୦, ଡିସେମ୍ବର (ହି.ସ.)(ସମ୍ବଲପୁରୀ ଛାପକୁ ଗୁରୁତ୍ୱ, ସମ୍ବଲପୁରୀ ଭାଷାକୁ ଋଦ୍ଧିମନ୍ତ କରିବ ସାଂସ୍କୃତିକ କାର୍ଯ୍ୟକ୍ରମ)
ଚଳିତ ବର୍ଷ ତୃତୀୟ ବର୍ଷରେ ପଦାର୍ପଣ କରିଛି ସମ୍ବଲପୁରୀ ଧନୁଯାତ୍ରା । ଆସନ୍ତା ଜାନୁଆରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନଧରି ଆୟୋଜିତ ହେବ ସମ୍ବଲପୁରୀ ଧନୁଯାତ୍ରା । ପୁଣିଥରେ କଂସର ଅଟହାସ୍ୟରେ ପ୍ରକମ୍ପିତ ହୋଇ ଉଠିବା ସହିତ ସ୍ଥାନୀୟ କଳାକାରଙ୍କ ମହାମିଳନରେ ଦୁଲୁକି ଉଠିବ ସମ୍ବଲପୁରର ଗଙ୍ଗାଧର ମଣ୍ଡପ । ସମ୍ବଲପୁରୀ ଧନୁଯାତ୍ରାରେ କଳାକାରଙ୍କ ସମ୍ବଲପୁରୀ ସଂଳାପ ସହିତ ସ୍ଥାନୀୟ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଗୀତ ଆଦି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିବେ କଳାପ୍ରେମୀ ସମବେତ ଦର୍ଶକ । ତେବେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସମ୍ବଲପୁରୀ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଭବ୍ୟ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଆୟୋଜକ କମିଟି ସଭାପତି ସଞ୍ଜୟ ବାବୁ । ସ୍ଥାନୀୟ ସାମ୍ବାଦିକ ଭବନରେ ଶନିବାର ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଚଳିତ ବର୍ଷର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଧନୁଯାତ୍ରା ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବଭଳି ମଥୁରାନଗରୀ ସ୍ୱରୂପ ଗଙ୍ଗାଧର ମଣ୍ଡପରେ କଂସଙ୍କ ରାଜ ଦରବାର ଓ ମହାନଦୀ ଅପରପାଶ୍ୱ ଚାଉଁରପୁରକୁ ଗୋପପୁର ରୂପେ ସଜ୍ଜିତ କରାଯାଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ କଳାକାର ମାନଙ୍କ ଅଭିନୟରେ ଉନ୍ନତ ପାରଦର୍ଶିତା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ସମ୍ବଲପୁରୀ ଭାଷାରେ ଯାତ୍ରାରେ ସଂଳାପ, ସାଜସଜ୍ଜା ଠାରୁ ଆରମ୍ଭ କରି ପରିଧାନରେ ସମ୍ପୂର୍ଣ୍ଣ ସମ୍ବଲପୁରୀ ଛାପ ଦେବାକୁ ଚଳିତ ବର୍ଷ ପ୍ରୟାସ କରାଯାଇଛି । ଯଦ୍ୱାରା ସମ୍ବଲପୁରୀ ଧନୁଯାତ୍ରାର ପ୍ରକୃତ ଲକ୍ଷ୍ୟ ସାଧିତ ହେବା ସହ ସମ୍ବଲପୁରୀ କଳା ସଂସ୍କୃତି ମଧ୍ୟ ଅଧିକ ବ୍ୟାପକ ଓ ଋଦ୍ଧିମନ୍ତ ହୋଇ ପାରିବ ବୋଲି ଶ୍ରୀ ବାବୁ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ସଭାପତି ଶ୍ରୀ ବାବୁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଗଣମାଧ୍ୟମ ତଥା ସମ୍ବଲପୁରୀ ସଂସ୍କୃତି ପ୍ରେମୀଙ୍କୁ ସବୁବର୍ଷ ଭଳି ସହଯୋଗ ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ସମ୍ପାଦକ ଗୁଣ ରଞ୍ଜନ ସାଲିମା, କାର୍ଯ୍ୟକାରୀ ସଭାପତି କମଲ ଲୋଚନ ପଣ୍ଡା, ଉପ-ସଭାପତି ଶଙ୍କର ବେହେରା, ନିର୍ଦ୍ଦେଶକ ବବଲୁ ବାଗ, ପ୍ରଶାନ୍ତ ମହାରଣା, ସହ-ସମ୍ପାଦିକା ଲିଳିମା ନାୟକ, ସାଂସ୍କୃତିକ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ, କଂସ ଭୂମିକାରେ ଅବତୀର୍ଣ୍ଣ କଳାକାର ଫଣୀନ୍ଦ୍ର ପଣ୍ଡା, ନିଶିକାନ୍ତ ବିଶ୍ୱାଳ, ଯୋଗେଶ ନନ୍ଦ, ଲଳିତ ମୋହନ ବେବର୍ତ୍ତା, ସ୍ୱାଧୀନ ପଣ୍ଡା, ରାହୁଲ ଗୁପ୍ତା, ଘୁନୁଚରଣ ପାଢ଼ୀ, ଅନମୋଲ ଦାଶ ଓ ଜୟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ