
ସମ୍ବଲପୁର, ୨୧, ଡିସେମ୍ବର (ହି.ସ.) - ପଶ୍ଚିମ ଓଡ଼ିଶା ସମ୍ବଲପୁରର ପ୍ରତିଷ୍ଠିତ ସାମାଜିକ ସାଂସ୍କୃତିକ ସଂଗଠନ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ତିନିଦିନିଆ ୫ମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ରବିବାର ଉଦଘାଟିତ ହୋଇଯାଇଛି।
ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ମହାମିଳନ ଭାବରେ ଆରମ୍ଭ ହୋଇଥିବା ବେଳେ ସମ୍ମିଳନୀ କୁ ବିଧିବଦ୍ଧ ଭାବେ ପଦ୍ମଶ୍ରୀ ହଲଧର ନାଗ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଲଧର ନାଗ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମଂଚକୁ ଫକୀର ମୋହନ ପଟ୍ଟନାୟକ ସମ୍ବଲପୁରୀ ମଚାନ ଭାବେ ଘୋଷଣା କରିଥିଲେ। ଏହି ଅବସରରେ ଡେରା ପରିସରରେ ସମ୍ବଲପୁରୀ ହାଟକୁ ଅତିଥି ମାନେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ସଂଯୋଜନା କରିଥିଲେ। ସମ୍ବଲପୁରୀ ସମ୍ମିଳନୀ ର ପ୍ରଥମ ଅଧିବେଶନ ଆଲୋଚନା ଚକ୍ର ରେ ସମ୍ବଲପୁରୀ ର ଅସ୍ମିତା କାଏଲ୍ ଆଏଜ୍ ଆର କାଏଲ୍ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଡ଼ ଅଶୋକ କୁମାର ଦାଶ ସଭାପତିତ୍ୱ କରିଥିଲେ। ଏଥିରେ ଆଲୋଚକ ଭାବେ ଯୋଗଦେଇ ଭାଷା ସଂସ୍କୃତି ଗବେଷକ ମୁକ୍ତକଣ୍ଠ ପ୍ରଧାନ, ଉତ୍ପନ୍ନ କୁମାର ଭୋଇ, ଡ଼ ପିତାମ୍ବର ବେହେରା ଏବଂ ଡ଼ ସୁକୁମାର ଭୋଇ ସମ୍ବଲପୁରୀ ଭାଷାର ଅସ୍ମିତା ଉପରେ ଆଲୋଚନା କରିଥିଲେ। ଆଲୋଚନା ଚକ୍ର ରେ ମୁକ୍ତକଣ୍ଠ ପ୍ରଧାନ ଜୀବନ ଜୀବିକା ସୁରକ୍ଷିତ ନ ରହିଲେ ଭାଷା ଅସ୍ମିତା ମଧ୍ୟ ସୁରକ୍ଷିତ ନୁହେଁ ବୋଲି ମତ ଦେଇଥିଲେ। ସେହିପରି ଆଲୋଚକ ଉତ୍ପନ୍ନ ଭୋଇ ନିରନ୍ତର ସଂଘର୍ଷ ନକଲେ ସମ୍ବଲପୁରୀ ଭାଷା ର ସାମ୍ବିଧାନିକ ସ୍ୱିକୃତି ସମ୍ଭବ ନୁହେଁ ବୋଲି କହିଥିଲେ। ଡ଼ ପିତାମ୍ବର ବେହେରା ସମ୍ବଲପୁରୀ ଭାଷା ଏବଂ ଓଡ଼ିଆ ଭାଷା ମଧ୍ୟରେ ରହିଥିବା ଭିନ୍ନତା ଉପରେ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ଡଃ ସୁକୁମାର ଭୋଇ ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ସାମୁହିକ ସଂଗ୍ରାମ ପାଇଁ ଆହ୍ୱାନ କରିଥିଲେ। ସଭାପତି ଡ଼ ଦାଶ ସମ୍ବଲପୁରୀ ଭାଷାରେ ବହୁ ବର୍ଷ ପୂର୍ବରୁ ରୂପତତ୍ୱ, ଶବ୍ଦର ଗଠନ ରେ ରହିଥିବା ସ୍ୱତନ୍ତ୍ରତା ଉପରେ ପ୍ରମାଣ ଉପସ୍ଥାପନ କରାଯାଇଛି। ବର୍ତମାନ ଏହାଙ୍କୁ ସରକାର ସ୍ୱିକୃତି ଦେବାର ସମୟ ଆସିଛି ବୋଲି କହିଥିଲେ। ଏହି ଅଧିବେଶନକୁ ମଂଚର ଭାଷା ସାହିତ୍ୟ ସଂଯୋଜକ ଡ ସ୍ୱୟଂପ୍ରକାଶ ପଣ୍ଡା ସଂଯୋଜନା କରିଥିଲେ। ଅପରାହ୍ନରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏଥିରେ ଏଲ ଏନ୍ ପୂଜାରୀ ଏବଂ କୁଲଦୀପ ବର୍ମା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାକୁ ରାହୁଲ ଗୁପ୍ତା, ପ୍ରଥମ ପଣ୍ଡା, ପ୍ରେମ ସାହାଣୀ ସଂଯୋଜନା କରିଥିଲେ। ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର?୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ସମଲେଶ୍ୱରୀ ଟ୍ରଷ୍ଟ ର ସଭାପତି ସଂଜୟ ବାବୁ ଏବଂ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ପ୍ରଫୁଲ୍ଲ ହୋତା ଅତିଥି ଭାବେ ଯୋଗଦେଇ ଥିଲେ । ଏଥିରେ ବସୁନ୍ଧରା କମୁନିଟୀ ସେଣ୍ଟର, ଜାଗୃତି ଡେନ୍ସ ଅନୁଷ୍ଠାନ, ଫେସ୍ ଟୁ ଫେସ୍,ଉଡାନ,ଅମ୍ବିସିଅସ ଡେନ୍ସ ଏକାଡେମୀ,ସୂଜାତା କ୍ରିଏସନ ଭରନୀ କଲା ପରିଷଦ, ସାନିକା ଡେନ୍ସ ଏକାଡେମୀ ,ପାଏଝଲ ଗୃପ, ସରସ୍ୱତୀ ଶିଶୁ ମନ୍ଦିର ସିଦ୍ଧେଶ୍ୱରୀ ବେର୍ଣ୍ଣା, ସମ୍ବଲପୁରୀ ମିକ୍ସ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ସାହୁ ଏବଂ ସୁପ୍ରୀୟା ରାଉତ ଉପସ୍ଥାପନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦଶରଥ ମେହେର, ରାଜେଶ୍ ସ୍ୱାଇଁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜାନିଛ କାୟେ ଜରିଆରେ ଦର୍ଶକ ମାନଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନରେ ପଶ୍ଚିମାଂଚଳ ଏକତା ମଂଚର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ