
ବଲାଙ୍ଗିର, ୨୧ ଡିସେମ୍ବର (ହି.ସ.)- ବର୍ତ୍ତମାନ କେବଳ ବଲାଙ୍ଗିରରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଛି । ସରକାର ଧାନ କିଣାକୁ ନେଇ ଯାହା କିଛି ବି ବ୍ୟବସ୍ଥା କରିଥିଲେ ତାହା ଫେଲ ମାରିଛି । ଆମ ଜିଲ୍ଲାରେ ସରକାର ତଥା ବିଭାଗ ଘୋଷଣା କରିଥିଲେ ୫ ତାରିଖରୁ ସମସ୍ତ ମଣ୍ଡି ଖୋଲି ବିନା କଟନି ଛଟନିରେ ଚାଷୀଙ୍କ ଠାରୁ ଧାନ କିଣାଯିବ କିନ୍ତୁ ଦୀର୍ଘ ୧୫ ଦିନ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଚାଷୀ ତା'ର ବହୁ କଷ୍ଟ ଉପାର୍ଜିତ ଅମଳ ଧାନ ବିକ୍ରି କରି ନପାରି ଘୋର ଦୁର୍ଦ୍ଦଶାରେ ପଡି ରହିଛି । ତେଣୁ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ପୂର୍ବ ବିଜେଡି ସରକାର ଯେପରି ଶୋଷଣ କରୁଥିଲା ଏହି ସରକାର ମଧ୍ୟ ଚାଷୀଙ୍କୁ ଶୋଷଣ କରୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବିଷୋଧଗାର କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ଦିନରୁ ଅମଳ ହୋଇଥିବା ଧାନ ଚାଷୀ ବିକ୍ରି କରିପାରୁ ନଥିବାରୁ ଧାନର ଆଦ୍ରତା ନିର୍ଦ୍ଧାରିତ ଆଦ୍ରତା ଠାରୁ କମି ଯାଉଛି । ଫଳରେ ଏହାର ଓଜନ କମୁ ଥିବାରୁ ଧାନ କ୍ୱିଣ୍ଟାଲ ପିଛା ୧୫ ରୁ ୧୭ କେଜି ଓଜନ ହ୍ରାସ ହେବ । ଏହାର କ୍ଷତି ଭରଣ କିଏ କରିବ ବୋଲି ନରସିଂହ ପ୍ରଶ୍ନ କରିଥିଲେ । ଏପରିକି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢେଇଲେ ମଧ୍ୟ ରାଜ୍ୟ ସେହି ବର୍ଦ୍ଧିତ ମୁଲ୍ୟକୁ ଇନ୍ପୁଟ ସବ୍ସିଡିରୁ (ବୋନସ) କାଟି ଦେଉଛି । ତେଣୁ ଚାଷୀକୁ ବର୍ଦ୍ଧିତ ଏସ୍ଏସ୍ପି ସହ ୮୦୦ ଟଙ୍କା ବୋନସ ରାଶି ମିଶେଇ ସରକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । କଟନି ଛଟନି ବିନା ଧାନ କିଣାଯିବ ବୋଲି ବାହା ବାହା ନେଉଥିବା ରାଜ୍ୟ ସରକାରଙ୍କ ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ଏକ କେଜି କଟନି କରାଯିବ ବୋଲି କହିବା ସତ୍ତ୍ୱେ ସରକାର ତଥା ତାଙ୍କ ମନ୍ତ୍ରୀ ମୁହଁ ନ ଖୋଲିବା ଅତି ନିନ୍ଦନୀୟ ଅଟେ । ପୂର୍ବରୁ ଚାଷୀଙ୍କ ଧାନ କିଣାକୁ ନେଇ ଓଡିଶା ହାଇକୋର୍ଟରେ ଆମ ଜିଲ୍ଲାର ଚାଷୀ ନକୁଳ ମେର୍ଲ୍ଲିଙ୍କ ନେତୃତ୍ୱରେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଏଥିରେ ହାଇକୋର୍ଟ ଚାଷୀଙ୍କ ସମସ୍ତ ଧାନ ଏଫ୍ସିଆଇ କିଣୁ ବୋଲି ନିର୍ଦ୍ଦେଶ ଦେବା ସତ୍ତ୍ୱେ କିଛି ବର୍ଷ ଏଫ୍ସିଆଇ କିଣିବା ପରେ ବର୍ତ୍ତମାନ ଏଫ୍ସିଆଇ କୌଣସି ଧାନ କିଣୁ ନାହିଁ । ଯଦି ଏଫ୍ସିଆଇ ଧାନ କିଣୁ ଥାନ୍ତା ତେବେ ଚାଷୀ ବିନା କଟନି ଛଟନିରେ ତା'ର ଅମଳ ହେଉଥିବା ସମସ୍ତ ଧାନ ବିକ୍ରି କରୁଥାନ୍ତା । ତେଣୁ ମୁଁ ନିଶ୍ଚିତ ଭାବେ ଦାବି କରିବି ଏଫ୍ସିଆଇ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣୁୁ । ଏହା ଗତ ସରକାର ସମୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ସଭ୍ୟଙ୍କ ସହମତିରେ ନିଷ୍ପତ୍ତି ହୋଇଥିଲା ଯେ, ଚାଷୀଙ୍କ ଠୁ ଏଫ୍ସିଆଇ ହିଁ ସମସ୍ତ ଧାନ କିଣୁ ବୋଲି । ଏହି ନିଷ୍ପତ୍ତିକୁ ବର୍ତ୍ତମାନର ସରକାର ଲାଗୁ କରୁ ଯାହା ଦ୍ୱାରା ଆମର ଚାଷୀ ଧାନର ଅଭାବି ବିକ୍ରିରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ଯେହେତୁ ଏଫ୍ସିଆଇ ପାଖରେ ଭିତ୍ତିଭୂମି ଓ ପର୍ଯ୍ୟ।ପ୍ତ ପାଣ୍ଠି ମହଜୁଦ ଅଛି ଏବଂ ଫୁଡ କର୍ପୋରେସନ ଏକ୍ଟ ସେକ୍ସନ ୧୩ ହିସାବରେ ଯଦି ଚାଷୀ ଅଭାବି ବିକ୍ରିର ଶିକାର ହୁଏ ତା'ର ସମସ୍ତ ଧାନ ଏଫ୍ସିଆଇ କିଣିବାକୁ ବାଧ୍ୟ ତେଣୁ ଏଫ୍ସିଆଇ ଯେପରି ଧାନ କିଣିବ ବର୍ତ୍ତମାନର ସରକାର ଧାନ କିଣୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ବଲାଙ୍ଗିର ସଦର, ଦେଓଗାଁ ବ୍ଲକ ଓ ବଲାଙ୍ଗିର ମ୍ୟୁନିସିପାଲଟିରେ ହେଉଥିବା ଦୁର୍ନିତିକୁ ନେଇ ସିଧାସଳଖ ପ୍ରଶାସନକୁ ଟାର୍ଗେଟ କରିଥିଲେ । ସଦାଇପାଲିରେ ମାଟି ରାସ୍ତା କାମ ପାଇଁ ସେ ନିଜେ ବିଧାୟକ ଥିବାବେଳେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା । ସେ ରାସ୍ତା କାମ ନ ହୋଇ ଅନୁଦାନ ହଡପ ହେଇଛି । ଠିକ୍ ସେହିପରି ଦେଓଗାଁ ବ୍ଲକରେ ମଧ୍ୟ ବିନା ବଜେଟ ପ୍ରସ୍ତୁତିରେ ବ୍ଲକର ସମସ୍ତ ପାଣ୍ଠିକୁ ମନ ମୁତାବକ ଖର୍ଚ୍ଚ କରାଯାଉଛି । ଏହାକୁ ନେଇ ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ ହେଁ ଜିଲ୍ଲା ପଂଚାୟତ ଅଧିକାରୀ ଶୁଣୁ ନାହାନ୍ତି । ଏପରିକି ଉଭୟ ବ୍ଲକର ଦୁର୍ନିତି ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ଧ୍ୟାନ ଦେଉନାହିଁ । ମହାରାଣୀ ସାଗରରେ ମଧ୍ୟ ମ୍ୟୁନିସିପାଲିଟି ଅବହେଳା ଯୋଗୁଁ ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଡିସେମ୍ବର ୫ ତାରିଖ ଦିନ ମାମଲା ଦାୟର କରାଯାଇଛି । ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏହାକୁ ନେଇ କୌଣସି ପ୍ରକାର ତଦନ୍ତ କାହିଁକି ଆରମ୍ଭ କରାଯାଇ ନାହିଁ ବୋଲି ପୋଲିସ ପ୍ରଶାସନକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଜିଲ୍ଲା ପ୍ରଶାସନର ଏପରି ଉଦାସିନତା ପ୍ରମାଣ କରୁଛି ଯେ, ଜିଲ୍ଲା ପ୍ରଶାସନ ମଧ୍ୟ ସଦର ବ୍ଲକ, ଦେଓଗାଁ ବ୍ଲକ ଓ ମ୍ୟୁନସିପାଲିଟିର ଅର୍ଥିକ ଅନିୟମିତତାକୁ ଘଣ୍ଟା ଘୋଡାଉଛି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଚାଷୀ ତଥା ସାଧାରଣ ଜନତାଙ୍କ ଯଦି ନ୍ୟାୟ ନ ଦେବେ ତେବେ ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ଅଜୟ ବାଲି, ଲୋପନ ମିଶ୍ର, ମାନସ ମହାନ୍ତି, ସଂଜୟ ମିଶ୍ର, ଅନନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ