
ପ୍ରାଣୀ ସମ୍ପଦ ବିକାଶ ବିଭାଗର କାର୍ଯ୍ୟ ସମୀକ୍ଷା ବୈଠକ
ନୂଆପଡା, ୨୧ ଡ଼ିସେମ୍ବର(ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ କେ ପାର୍ଥ ସାରଥୀ ଡୋରା ବିଭାଗର କାର୍ଯ୍ୟ ଓ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ସଫଳ ପ୍ରାଣୀ ସମ୍ପଦ ଚାଷୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ସିନାପାଲି ବ୍ଲକ, ନିଲଜି ଗ୍ରାମର ଗରିବ ସା ଉନ୍ନତ ମହିଷ ପାଳନ ସହ ଗୋବର ଖତ ବିକ୍ରୟ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି l ସେ କ୍ଷିର ବିକ୍ରି ରୁ ମାସିକ ୪୫ ହଜାର ଟଙ୍କା ରୋଜଗାର କରିବା ସହ ଗୋବର ବିକ୍ରିରୁ ବାର୍ଷିକ ୧ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି l ବୋଡ଼େନ ବ୍ଲକ୍ ର ଡମଝର ଗ୍ରାମର ଚାଷୀ ସୁଶୀଳ ହରିଜନ ୨୦୦୦ କୁକୁଡ଼ା ପାଳନ କରି ମାସିକ ୫୦ ହଜାର ଟଙ୍କାରୁ ଅଧିକ ଆୟ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି l କୋମନା ବ୍ଲକ୍ ର କୁମରମଣି ରଣା ୫୦୦ କୁକୁଡ଼ା ପାଳନ ରୁ ଆରମ୍ଭ କରି ଏବେ ୫୦୦୦ କୁକୁଡ଼ା ଫାର୍ମର ମାଲିକ ହୋଇ ପାରିଛନ୍ତି l ଏଥିରୁ ସେ ପ୍ରତି ପର୍ଯ୍ୟାୟ ରେ ପ୍ରାୟ ଏକ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି l ଖଡ଼ିଆଳ ବ୍ଲକ ମହାରା ଗ୍ରାମର ନନ୍ଦ ଲାଲ୍ ନାଗ କେବେ ଦିନେ ପେଟ ପାଟଣା ପାଇଁ ଦାଦନ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟ କୁ କାମ କରିବା ପାଇଁ ଯାଉଥିଲେ l ସେ ରାଜ୍ୟ ସରକାରଙ୍କ ୨୦୦୦ କୁକୁଡ଼ା ପାଳନ ଯୋଜନାର ଲାଭ ଉଠାଇ ମାସିକ ୪୦ ହଜାର ଟଙ୍କା ଆୟ କରି ପାରୁଛନ୍ତି l ସେ ଏବେ ୪୦୦୦ କୁକୁଡ଼ା ଫାର୍ମ ର ମାଲିକ ହୋଇ ସମାଜରେ ପ୍ରତିଷ୍ଠା ଲାଭ କରି ପାରିଛନ୍ତି l ସେହିପରି ନୂଆପଡା ବ୍ଲକ୍ ବିଶୋରା ଗ୍ରାମର ନରୋତ୍ତମ ମାଝି ୨୦୦୦ କୁକୁଡ଼ା ଫାର୍ମ ରୁ ମାସିକ ୨୦୦୦୦ ଟଙ୍କା ଆୟ କରୁଛନ୍ତି l ଏହି ସମସ୍ତ ଚାଷୀ ସମାଜର ସାଧାରଣ ସ୍ତରରୁ ଆସି ପ୍ରାଣୀ ସମ୍ପଦ ବିଭାଗର ସହାୟତା ଓ ନିଜର କଠିନ ପରିଶ୍ରମ ବଳରେ ଜଣେ ଜଣେ ସଫଳ ଚାଷୀ ହୋଇ ନିଜ ପରିବାର ପ୍ରତିପୋଷଣ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ କର୍ମ ସଂସ୍ଥାନର ସୁଯୋଗ ପ୍ରଦାନ କରି ପାରୁଛନ୍ତି l ଏମାନଙ୍କୁ ସମ୍ବର୍ଦ୍ଧିତ କରି ଜିଲ୍ଲାପାଳ କହିଲେ ଯେ ଏହାଦ୍ବାରା ଜିଲ୍ଲାର ଅନ୍ୟ ଚାଷୀ ମାନେ ମଧ୍ୟ ପ୍ରେରଣା ଲାଭ କରି ଉତ୍ସାହିତ ହେବେ l ଏଭଳି କାର୍ଯ୍ୟକ୍ରମ ପ୍ରତିମାସ ଅବ୍ୟାହତ କରି ଜିଲ୍ଲାରେ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ