
ପୁରୀ, ୨୨ ଡିସେମ୍ବର (ହି.ସ.)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ବଳିଆପଣ୍ଡା ସ୍ଥିତ ରାଜଯୋଗ ସାଧନା କେନ୍ଦ୍ରର ୨୦ତମ ବାର୍ଷିକ ଉତ୍ସବ ଏକ ପବିତ୍ର ବାତାବରଣରେ ପାଳିତ ହୋଇଯାଇଛି । ସାଧନା କେନ୍ଦ୍ରର ଓମ୍ ଶାନ୍ତି ଅଡିଟୋରିୟରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମାକୁମାରୀ ସେଣ୍ଟ ପିଟରସବର୍ଗ ଋଷିଆ ଶାଖାର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷ ଦିଦି କହିଲେ ଯେ, 'କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ଆତ୍ମ ସ୍ମୃତିରେ ସ୍ଥିତ ହୋଇ କାର୍ଯ୍ୟ ସମ୍ପାଦନ କଲେ ସେ କର୍ମ ବିକର୍ମ ହୁଏ ନାହିଁ। ମାନବ ଆତ୍ମାର ତୃତୀୟ ନେତ୍ର ବା ବୁଦ୍ଧି ନେତ୍ର ଖୋଲିବାରେ ଈଶ୍ୱରୀୟ ଜ୍ଞାନ ପ୍ରମୁଖ ଭୂମିକା ଗ୍ରହଣ କରେ । ବିଶ୍ୱାସ ଓ ପ୍ରଭୁ ନିଶ୍ଚୟ ଦୃଢ଼ିଭୁତ ହୁଏ ଯାହା ଋଷିଆ ଦେଶ ର ଅଧିବାସୀ ମାନଙ୍କ ପକ୍ଷରେ ଦେଖିବାକୁ ମିଳେ । ଭିନ୍ନ ସଂସ୍କୃତି ଓ ଜୀବନ ଶୈଳୀ ହେଲେ ମଧ୍ୟ ଆତ୍ମ ଅନୁଭୂତି ଦ୍ଵାରା ସେମାନେ ନିଶା ଦ୍ରବ୍ୟ ସେବନରୁ ବିରତ ରହି ସମ୍ପୂର୍ଣ ସାତ୍ତ୍ୱିକ ଜୀବନ ଯାପନ କରୁଛନ୍ତି । ଆଧ୍ୟାତ୍ମିକତା ଓ ଦୈବୀ ସଂସ୍କୃତି ପ୍ରତି ତାଙ୍କର ରୁଚି ବଢ଼ି ବଢ଼ି ଚାଲିଛି ଯାହା ସମସ୍ତଙ୍କ ପାଇଁ ଅନୁକରଣୀୟ।' ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ର ପ୍ରାକ୍ତନ ଭାଇସ ଚାନସେଲର ପ୍ରଫେସର ହରିହର ହୋତା କହିଲେ ଯେ ଆତ୍ମା ଏକ ସଡ ତାତ୍ତ୍ୱିକ ଅଜର ଅମର ଅବିନାଶୀ ଚୈତନ୍ୟ ସତ୍ତା । ତାକୁ ସଶକ୍ତ କରିବା ପାଇଁ ପରମାତ୍ମା ପରମେଶ୍ବରଙ୍କ ସହ ସମର୍ପଣ ଭାବର ସ୍ମୃତି ଦରକାର ଯାହା ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ଦର୍ଶନ ଶିକ୍ଷା ଦିଏ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୁରୀ ଭାଗବତ ଆଶ୍ରମର ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ ମହାରାଜ କହିଲେ ଯେ, 'ଅନେକ ଜନ୍ମର ତପସ୍ୟା ବଳରେ ଆମକୁ ମାନବ ଶରୀର ପ୍ରାପ୍ତ ହୋଇଛି ଯାହା ପାଇଁ ପ୍ରଭୁ ପରମେଶ୍ବରଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ୍ ଦେଇ ଅବଶିଷ୍ଟ ଜୀବନ ନିଃସ୍ଵାର୍ଥପର, ନିର୍ବିକାର ଓ ପରୋପକାରରେ ବ୍ୟତୀତ କରିବା ପାଇଁ ଦୃଢ଼ ପ୍ରତିଜ୍ଞା କରିବା ଉଚିତ୍।'
ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବ୍ରହ୍ମାକୁମାର ଡକ୍ଟର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ପାଟନା ସେବାକେନ୍ଦ୍ରର ସଞ୍ଚାଳିକା ରାଜ ଯୋଗର ସୁଖଦ ଅନୁଭୂତି କରାଇଥିଲେ । ପ୍ରାରମ୍ଭରେ ବ୍ରହ୍ମାକୁମାରୀ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ