
ବଲାଙ୍ଗିର, ୨୨ ଡିସେମ୍ବର (ହି.ସ.)- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପୁଇଁନ୍ତଲା ବ୍ଲକ ଚେୟାରମେନ ସରୋଜ କୁମାର ପଧାନ, ସମ୍ମାନିତ ଅତିଥି ଭାବରେ ସରପଂଚ ପୁରୁଷୋତ୍ତମ କମ୍ପ, ଶିକ୍ଷାବିତ୍ ବୁଡୁ ପଧାନ, ଗୁପ୍ତେଶ୍ୱର ବେହେରା ଯୋଗ ଦେଇ ଖେଳ ଶିକ୍ଷକ ସଚିଦାନନ୍ଦ ସାହୁ ଓ ହରେକୃଷ୍ଣ ନାଏକଙ୍କ ତତ୍ୱାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ବିରଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ କିଶୋର ପଣ୍ଡା ତାଙ୍କ ବକ୍ତବ୍ୟରେ କ୍ରୀଡା ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ ଓ ବ୍ୟକ୍ତି ତଥା ଦେଶ ମଧ୍ୟରେ ସମ୍ପର୍କର ସେତୁ ପ୍ରତିଷ୍ଠା ପାଇଁ ପ୍ରକୃଷ୍ଟ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀ ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଦୁଇଟି କ୍ଷୁଦ୍ର ନାଟକ ‘ଚାଲ ଆନ୍ଦୋଳନ କରମା’ ଓ ‘ଚାଲ ଅର୍କେଷ୍ଟ୍ରା କରମା’ ବେଶ୍ ଉପଭୋଗ୍ୟ ହୋଇଥିଲା ।
ଶିକ୍ଷୟତ୍ରୀ ନମିତା ପାଣିଗ୍ରାହୀ ବାର୍ଷିକ ବିବରଣୀ ପଢିଥିବା ବେଳେ ଅଜିତ କୁମାର ରାଉତ ମଂଚ ପରିଚାଳନା କରିଥିଲେ । ମନୋରଞ୍ଜନ ଡାଙ୍ଗ, ଅର୍ଚ୍ଚିତା ସ୍ୱାଇଁ, ଅଭିମନ୍ୟୁ ଡାଙ୍ଗ ଓ ସତ୍ୟଭାମା ବେହେରା ଚମ୍ପିୟାନ ହୋଇଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ଓ ଶେଷରେ ଶିକ୍ଷକ ଦୁଃଖ ନାଶନ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ