
ଖୋର୍ଦ୍ଧା, ୨୨ ଡିସେମ୍ବର (ହି.ସ.)- ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜନଶୁଣାଣି ଶିବିରରେ ବେଗୁନିଆ ବିଧାୟକ, ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଶ୍ରୀନିବାସ ମହାନ୍ତି, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ବି ଡି ଓ, ବୋଲଗଡ଼ ସୁମନ୍ ସୁଧା କୁଣ୍ଡୁ, ତହସିଲଦାର, ବୋଲଗଡ଼, ବିଜୟ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ଯୋଗିନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କହିଲେ ଯେ, ସୁଶାସନ ସପ୍ତାହ ଚାଲିଥିବାରୁ ପ୍ରତ୍ୟେକ ଅଧିକାରୀ ନିଜ କାର୍ଯ୍ୟାଳୟ ଅଧୀନ କୌଣସି ଅଭିଯୋଗ ସମାଧାନକୁ ସ୍ଥଗିତ ରଖିବେ ନାହିଁ l ଯଥାସମ୍ଭବ ସରକାରଙ୍କର ଏବଂ ଜିଲ୍ଲା ପ୍ରଶାସନ ନିୟମାନୁସାରେ ସେଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୮୮ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୭୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୫ଟି ଗ୍ରାମ୍ୟ ସମସ୍ୟାର ଅଭିଯୋଗ ଆସିଥିଲା l ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତତ୍କାଳ ୪ଟି ଅଭିଯୋଗର ସମାଧାନ କରିଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l
ଅଭିଯୋଗ ଶୁଣାଣି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ ଭୁବନେଶ୍ଵରୀ କଅଁର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ରାକେଶ