

ବଲାଙ୍ଗିର, 22 ଡିସେମ୍ବର (ହି.ସ.)ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଦୁଇ ଦିନ ଧରି ଆୟୋଜିତ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବୀର କିଶୋର ଶତପଥୀଙ୍କ ତତ୍ତ୍ୱାବଧାନ ଓ ପ୍ରେରଣାରେ ପ୍ରଥମଥର ପାଇଁ ଆୟୋଜିତ ଏହି କ୍ରୀଡା ଉତ୍ସବରେ ରେଙ୍ଗାଲି, କପିଲବାହାଲ ଓ ବାଗଡ଼ୁଙ୍ଗୁରୀ ଅଞ୍ଚଳର ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଉତ୍ସବର ପ୍ରଥମ ଦିନ ରେଙ୍ଗାଲି ଗ୍ରାମରେ ଏକ ଆକର୍ଷଣୀୟ ମଶାଲ ଯାତ୍ରା ସହ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ, ସଦସ୍ୟ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ଉଦୟ ସିଂ ଠାକୁର ଶାରୀରିକ ସୁସ୍ଥତା ଓ ସମଗ୍ର ବିକାଶ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଜୋର ଦେଇ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଖେଳକୁଦରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଦୀର୍ଘ ବର୍ଷ ପରେ ଏପରି ଏକ କ୍ରୀଡା ଉତ୍ସବ ଆୟୋଜନ କରିଥିବାରୁ ସେ ପ୍ରଧାନ ଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟତମ ଅତିଥି ଶ୍ରୀ କୃଷ୍ଣ ଚନ୍ଦ୍ର ରାଜପୁତ ଓ ହୃଷୀକେଶ ସାହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ମାନଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଖେଳୁଆଡ଼ ମନୋଭାବ, ଶିଷ୍ଟାଚାର ଓ ଶିସ୍ତ ରଖି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଦୌଡ଼, ଉଚ୍ଛ ଡିଆଁ, ଲମ୍ବ ଡିଆଁ, ପୁଚି ଖେଳ ସହ ଦଶାଧିକ କ୍ରୀଡା ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସମାପନୀ ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ, ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କର ସକ୍ରିୟ ସହଯୋଗ ଓ ଗ୍ରାମବାସୀଙ୍କ ଉପସ୍ଥିତି ଦ୍ୱାରା ବେଶ ସଫଳ କରାଯାଇପାରିଥିଲା। ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି ବାର୍ଷିକ କ୍ରୀଡା ଉତ୍ସବ ଗ୍ରାମ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ସ୍ୱୀକୃତି ଲାଭ କରିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ