
ଧର୍ମଶାଳା,୨୨ଡିସେମ୍ବର(ହି.ସ.) - ନକଲି ସାରକୁ ନେଇ ଚିନାବାଦାମ ଚାଷୀ ଅସନ୍ତୋଷ । ଅସନ୍ତୋଷ ଚାଷୀ ଉତ୍ୟକ୍ତ ହୋଇ ସାର ଦୋକାନରେ ତାଲା ପକାଇ ଦେଲେ । ଏ ଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଝାଲପଡା ପଂଚାୟତରେ । ଏହି ପଂଚାୟତର ଶହଶହ ଚାଷୀ ଚିନା ବାଦାମ ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି । ତେବେ ଚଳିତ ବର୍ଷ କ୍ଷେତରେ ଚିନାବାଦାମ ଚାଷ କରି ଅଧିକ ଅମଳ ପାଇଁ ବଜାରରୁ ଧାର କରଜ କରି ସାର କିଣି କ୍ଷେତରେ ପ୍ରୟୋଗ କରିଥାନ୍ତି । କ୍ୱିଂଟାଲ ପିଛି ୩ହଜାର ଟଙ୍କା ଦେଇ ସାର କିଣି ଥାନ୍ତି । ତେବେ କ୍ଷେତରେ ୧ ମାସ ହେବ ସାର ପକାଇ ଥିବା ବେଳେ କ୍ଷେତରେ ଡିଏପି ସାର ମାଟିରେ ନ ମିଶିବାରୁ ଚାଷୀମାନଙ୍କର ସନ୍ଧେହ ହୋଇଥିଲା । ତେବେ ଏହି ସାର ନକଲି ହୋଇଥିବା ସନ୍ଧେହ କରି ଆଜି ଏହି ପଂଚାୟତସ୍ଥ ଝାଲପଡା ଛକରେ ଥିବା ମଣି ବାବା ସାର ବିକ୍ରେତା ତପନ ନାୟକଙ୍କୁ ଅବଗତ କରାଇ ଥିଲେ । ତେବେ ସେ ଚାଷୀମାନଙ୍କୁ ସନ୍ତୋଷ ଜନକ ଉତର ଦେଇ ନ ପାରିବାରୁ ସ୍ଥାନୀୟ ଚାଷୀ ଉତ୍ୟକ୍ତ ହୋଇ ଦୋକାନରେ ତାଲା ପକାଇ ଦେଇଥିବା ଜଣାପଡିଛି । ଖବର ପାଇ ବ୍ରହ୍ମବରଦା ପୁଲିସ ଘଟଣାସ୍ଥଳରେ ପଂହଚିବା ପରେ ଘଟଣା ଶାନ୍ତ ପଡିଥିଲା । ସେପଟେ କମ୍ପାନୀ କତୃପକ୍ଷରୁ ଏହାର ତଦନ୍ତ କରିବା ସହ କ୍ଷତି ପୂରଣ ଦାବି କରି ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ବୀର କିଶୋର ଗୋଚ୍ଛାୟତ,ପ୍ରଶାନ୍ତ ମୁଦୁଲୀ,ମାଧ ମୁଦୁଲୀ,ସହଦେବ ମୁଦୁଲୀ,କୃଷ୍ଣ ଜେନା,ବଲ୍ଲଭ ବିଶ୍ୱାଳଙ୍କ ସମେତ ଅନେକ ଚାଷୀ ଦାବି କରିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ବଜାରରେ ମାଳମାଳ ସାର ଦୋକନ କରି ନକଳି ସାର ଓ କୀଟନାଶକ ଔଷଧ ବେଧଡକଭାବେ ବିକ୍ରୀ କରାଯାଉଛି । ଯାହାକି ଚାଷୀମାନ ଏହା ଜାଣି ନ ପାରି ଏହି ନକଲି ସାର କିଣିବାକୁ ବାଧ୍ୟ ହେଉଛନ୍ତି । ଜିଲା ପ୍ରଶାସନ ଏହି ଘଟଣା ଉପରେ ନଜର ଦେବାକୁ ଚାଷୀ ମହଲରେ ଦୃଢ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ