
ପୁରୀ, ୨୨ ଡିସେମ୍ବର (ହି.ସ.) - ୨୦୨୫ ରଥଯାତ୍ରାର ରଥ ନିର୍ମାଣ ପାଇଁ ୬୯ ଜଣ ଫାଶି କାଠଦାତା ୧୧୦ ଖଣ୍ଡ ଫାଶିକାଠ ଦାନ କରିଥିଲେ । ସେମାନଙ୍କୁ ସୋମବାର ଦିନ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା । ବିରଳ ଫାଶିକାଠ ସରକାରୀ ବନଖଣ୍ଡରେ ଆବଶ୍ୟକୀୟ ଗଛ ମିଳୁନଥିବାରୁ ଭକ୍ତଙ୍କ ଠାରୁ ଦାନ ସୁତ୍ରରେ ସଂଗ୍ରହ କରାଯାଇଥିଲା । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଅଧିକ ଫାଶିକାଠ ଲଗାଇବା ପାଇଁ ଗଜପତି ମହାରାଜ ପରାମର୍ଶ ଦେଇଥିଲେ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି, ଭକ୍ତ ଗହଳି ନିୟନ୍ତ୍ରଣ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଗଜପତି ମହାରାଜାଙ୍କୁ ଅବଗତି କରାଯାଇଥିଲା । ଇସ୍କନ କରୁଥିବା ଅଦିନିଆ ରଥଯାତ୍ରା ଶାସ୍ତ୍ର ସମ୍ମତ ନୁହେଁ ବୋଲି ଗଜପତି କହିବା ସହ ସେ ସମ୍ପର୍କରେ ସଂପୃକ୍ତ ସଂସ୍ଥାକୁ ଜଣାଇ ଦିଆଯିବ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଟୋ ଉଠାଇବା, ଚଷମାରେ ଗୁପ୍ତ କ୍ୟାମେରା ଜରିଆରେ ଫଟୋ ଉଠାଇବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ଆଇନ ବିଭାଗକୁ ଦିଆଯାଇଛି । ପରିଚାଳନା କମିଟି ବୈଠକ ପରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ବଡଦିନ ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ କଟକଣା ମାନିବା ପାଇଁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ