
ଧର୍ମଶାଳା,୬ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିକ୍ରମାଦିତ୍ୟ ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ଅନ୍ୱେଷଣ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ପୁରୁଷୋତମ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ରଥ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଡ଼କ୍ଟର ତୁହିନାଂଶୁ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଦାଶ ଓ କବି ତଥା ସାହିତ୍ୟିକ ସଂଗ୍ରାମ କେଶରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଜ୍ଞାନର ପ୍ରଗତି ଓ ମନୁଷ୍ୟର ଦୁର୍ଗତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାମାଜିକ କର୍ମୀ ସତ୍ୟବ୍ରତ ରାଉତ ଓ ଶିକ୍ଷୟିତ୍ରୀ ନୀଳକଣ୍ଠେଶ୍ୱରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଡ଼କ୍ଟର ଅଜୟ କୁମାର ମହାପାତ୍ର ସଂଯୋଜନା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, କୁଇଜ, ତର୍କ, ଅଭିଯୋଗ୍ୟତା, ସଙ୍ଗୀତ, ନୃତ୍ୟ, ସ୍ୱେଛାସେବୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ସମେତ ୫ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପୁରସ୍କାର ପ୍ରଦାନ କରାଯାଇଥିଲା ।ଶିକ୍ଷୟିତ୍ରୀ ସାୟଦା ଅମ୍ବାରିନ କାଦ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଛାତ୍ରୀ ଦୀପାଞ୍ଜଳି ଖୁଁଟିଆ, ପଦ୍ମାଳୟା ସାହୁ ଓ ଛାତ୍ର ଆୟୁଷ୍ମାନ ବଳ ପ୍ରମୁଖ ଆଲୋଚନା କରିଥିଲେ । ଦିବ୍ୟାଶ୍ରୀ ଜେନା ପ୍ରାରମ୍ଭିକ ସଙ୍ଗୀତ ଓ ଦୀପାଞ୍ଜଳି ଖୁଁଟିଆ ସମାପନ ସଙ୍ଗୀତ ଗାନ କରିଥିଲେ । ସାମାଜିକ କର୍ମୀ ଦେବବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ