ନୂଆଦିଲ୍ଲୀ, ୧୮ ଫେବୃଆରୀ (ହି.ସ.)- ଲୋକସଭାରେ ବିରୋଧି ଦଳର ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ନିର୍ବାଚନ ଆୟୁକ୍ତର ଚୟନ କରାଯିବା ନିମନ୍ତେ ଗଠିତ ସମିତିର ବୈଠକରେ ସୋମବାର ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି)ର ଚୟନ ପ୍ରକ୍ରିୟା ଉପରେ ଅସହମତି ବ୍ୟକ୍ତ କରିଥିଲେ । ଏହା ସତ୍ୱେ ରାତି ଅଧରେ ଯେଉଁଭଳି ଭାବରେ ସିଇସି ର ଚୟନ କରାଗଲା, ତାହା ଅତ୍ୟନ୍ତ ଅପମାନଜନକ ଏବଂ ଅଶିଷ୍ଟତାପୂର୍ଣ୍ଣ ଅଟେ ।
ରାହୁଲ ଗାନ୍ଧି ଆଜି ଏକ ବୟାନରେ କହିଛନ୍ତି ଯେ, ଆଗାମୀ ନିର୍ବାଚନ ଆୟୁକ୍ତଙ୍କ ଚୟନ କରିବାକୁ ଥିବା ସମିତିର ବୈଠକ ସମୟରେ ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଏକ ଅସହମତି ପତ୍ର ପ୍ରଦାନ କରିଥିଲି । ଏଥିରେ କୁହାଯାଇଥିଲା ଯେ, କାର୍ଯ୍ୟକାରୀ ହସ୍ତକ୍ଷେପରୁ ମୁକ୍ତ ଏକ ସ୍ୱତନ୍ତ୍ର ନିର୍ବାଚନ ଆୟୋଗର ସବୁଠୁ ମୌଳିକ ଦିଗ ନିର୍ବାଚନ ଆୟୁକ୍ତ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ର ଚୟନ ପ୍ରକ୍ରିୟା ଅଟେ । ଏହା ବ୍ୟତୀତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରି ଏବଂ ଭାରତର ମୁଖ୍ୟ ବିଚାରପତିଙ୍କୁ କମିଟିରୁ ହଟାଇ ମୋଦୀ ସରକାର ଆମର ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ଉପରେ କୋଟି କୋଟି ମତଦାତା ମାନଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ