ଚଣ୍ଡୀଗଡ଼, ୨୩ ଫେବୃଆରୀ (ହି.ସ.)- ଚଣ୍ଡୀଗଡ଼- ଶିମଲା ରାସ୍ତାର ପଂଚକୁଲା ନିକଟରେ ରବିବାର ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ପଂଚକୁଲାର ନାବାଳକ ଅଟନ୍ତି । ଏଥିସହ ଜଣେ ହିସାର ଏବଂ ଅନ୍ୟ ଜଣେ ମୋହାଲି ଅଂଚଳର ଅଟନ୍ତି ।
ପଂଚକୁଲା ପୋଲିସର ସୂଚନା ଅନୁଯାୟୀ, ଦୁଇଟି କାର୍ ରେ ୭ ଜଣ ବନ୍ଧୁ ରବିବାର ସକାଳେ ପରବାଣୁରୁ ପଂଚକୁଲା ଅଭିମୁଖେ ଆସୁଥିଲେ । ଦୁର୍ଘଟଣାଗ୍ରସ୍ତ କାର୍ ରେ ୪ ଜଣ ଯାଉଥିବା ବେଳେ ପଛରେ ଆସୁଥିବା ଅନ୍ୟ ଏକ କାର୍ ରେ ୩ ଜଣ ବନ୍ଧୁ ଥିଲେ । ଆଗରେ ଆସୁଥିବା କାର୍ ଟି ଚଣ୍ଡୀଗଡ଼- ଶିମଲା ରାଜପଥରେ ପହଂଚିବା ପରେ ସେତିକିବେଳେ ସୋଲନ -ଶିମଲା ବାଇପାସ୍ ରେ ଏହାର ବାମ ପାଶ୍ୱର୍ ଚକର ଟାୟାର ହଠାତ୍ ଫାଟି ଯାଇଥିଲା । ଫଳରେ ବ୍ରେକ୍ ଫେଲ୍ ହୋଇ କାର୍ ଟି ଭାରସାମ୍ୟ ହରାଇ ହାଇୱେ ପାଶ୍ୱର୍ରେ ଲାଗିଥିବା ଆଙ୍ଗେଲରେ ଧକ୍କା ହୋଇଥିଲା । ଏହାପରେ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ପଶିଯାଇଥିଲା । ଦୁର୍ଘଟଣାରେ କାର୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଶବ୍ଦ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଂଚି ଥିଲେ । ତେବେ ଆଖପାଖରେ ଥିବା ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଂଚିବା ବେଳକୁ କାର୍ ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ମୃତକ ମାନଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ