ସୁବର୍ଣ୍ଣପୁର, 26 ଫେବ୍ରୁଆରି (ହି.ସ.)ସୁବର୍ଣ୍ଣପୁର ଜିଲ୍ଲା ଗଠନକୁ ୩୧ ବର୍ଷ ବିତିଯାଇ ଥିବାବେଳେ ଜିଲ୍ଲାର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ସୋନପୁର କଲେଜ ଅବହେଳିତ ହୋଇ ରହିଛି । ସୋନପୁରର ପ୍ରବାହିତ ମହାନଦୀ କୂଳରେ ୧୯୬୪ ମସିହାରେ ୧୦ ଏକର ୪୭୭ ଡ଼ିସିମିଲ ଜାଗାରେ ଏହି କଲେଜ ସ୍ଥାପିତ ହୋଇଥିଲା | ସତୁରୀ ଦଶକ ଶେଷ ସମୟରେ କଲେଜ ଅଧ୍ୟକ୍ଷ ଭାବରେ ପବିତ୍ର ମୋହନ ନାୟକ ଦାୟିତ୍ବ ନେଇଥିଲେ। ସେହି ସମୟରେ ସୋନପୁର କଲେଜ କେବଳ ପଶ୍ଚିମ ଓଡିଶା ନୁହେଁ, ସାରା ଓଡିଶାରେ ଶିକ୍ଷାଦାନରେ ପ୍ରଶଂସନୀୟ ହୋଇଥିଲା । ଏବେ ଉକ୍ତ କଲେଜ ବହୁ ସମସ୍ୟାରେ ଗତି କରୁଛି | ରାଜ୍ୟର ୪୮ଟି ସର୍ବପୁରାତନ ଅନୁଦାନ କଲେଜ ମଧ୍ୟରୁ ସୋନପୁର କଲେଜ ଅନ୍ୟତମ ହୋଇଥିବାବେଳେ ଏହାକୁ ସରକାରୀ ମାନ୍ୟତା ମିଳି ପାରି ନାହିଁ । ଆଶାତୀତ ଆନୁସଙ୍ଗିକ ବିକାଶ ହୋଇ ପାରି ନ ଥିବାରୁ ସ୍ବଂୟ ଶାସିତ କଲେଜ ଭାବରେ ସ୍ବୀକୃତି ପାଇ ନାହିଁ ଅନ୍ୟ ସମସାମୟିକ କଲେଜ ଅନୁପାତରେ ଏହି ଶିକ୍ଷାନୁଷ୍ଠାନର ବିକାଶ ହୋଇ ପାରିନଥିବା ବେଳେ ଏଥିପାଇଁ ଆବଶ୍ୟକ ପୃଷ୍ଠଷୋକତାର ଅଭାବ ବୋଲି କୁହାଯାଉଛି। ବର୍ତ୍ତମାନ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ବିଭାଗର ୨୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ବିଭିନ୍ନ ବର୍ଗର ୫୧ ଅଧ୍ୟାପକ ପଦ ମଧ୍ୟରୁ ୮ ପଦ ଖାଲି ରହିଛି| ରାସାୟନିକ ବିଜ୍ଞାନ ବିଭାଗର ୨ ଅଧ୍ୟାପକ , ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ଜଣେ ଲେଖାଏ ଅଧ୍ୟାପକ, ଓଡିଆ ବିଭାଗରେ ଗୋଟିଏ ଅଧ୍ୟାପକ ଓ ଶିକ୍ଷା, ସଂସ୍କୃତି, ରାଜନୀତି ବିଜ୍ଞାନ ବିଭାଗରେ ଜଣେ ଲେଖାଏ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ୩୪ଟି ଅଣ ଶିକ୍ଷକ କର୍ମଚାରୀ ପଦବୀ ଆବଶ୍ୟକ ରହିଥିବା ବେଳେ ମାତ୍ର ୫ଜଣ କାର୍ଯ୍ୟ କରୁଛନ୍ତି। ମୁଖ୍ୟ କିରାଣୀ, ହିସାବ ନିରୀକ୍ଷକ, କନିଷ୍ଠ କିରାଣୀ ତଥା ଟାଇପିଷ୍ଟ , କନିଷ୍ଠ ଲାଇବ୍ରେରିଆନ ଓ ଷ୍ଟୋର କିପର ଆଦି ପଦ ଖାଲି ରହିଛି ୬ଟି ଲାବରେଟୋରୀ ସହାୟକ ମଧ୍ୟରୁ ଜଣେ ଥିବା ସହ ମାଳି, ମହିଳା ସହାୟିକ, ସଫେଇ କର୍ମଚାରୀ ପିଅନ, ଜଗୁଆଳି ଓ ଡେମୋନଷ୍ଟ୍ରେଟର ଆଦି ପଦ ଖାଲି ଅଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ