ସମ୍ବଲପୁର, ୩୦ ମଇ (ହି.ସ.) - ଅହଲ୍ୟା ବାଇ ହୋଲକରଙ୍କ ୩ଶହ ତମ ଜନ୍ମଜୟନ୍ତୀ ଅବସରରେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ଅଡିଟୋରିଅମରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମହିଳା ମୋର୍ଚ୍ଚା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର, ସମ୍ପାଦକ ବିଭୂତି କଲ୍ୟାଣ ପଟେଲ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୂଆ, ରାଜ୍ୟ ସଙ୍ଗଠନରୁ ଅନୁପମା ନାଏକ ଉପସ୍ଥିତ ରହିଥିଲେ। ସଭାରେ ଅହଲ୍ୟା ବାଇଙ୍କ ଜୀବନୀ, ସମାଜ ସୁଧାର କାର୍ଯ୍ୟ, ଜନହିତକର କାର୍ଯ୍ୟ, ଶାସନ ପ୍ରଣାଳୀ, ସତୀଦାହ ପ୍ରଥା ଉଚ୍ଛେଦ, ନାରୀ ଶିକ୍ଷା, ପୂଜା ପୀଠ ରକ୍ଷା, ହସ୍ତତନ୍ତ ଓ ବୟନ ଶିଳ୍ପ ଉନ୍ନତି ପ୍ରତି ତାଙ୍କ ଅବଦାନ ସ୍ମରଣ କରାଯାଇଥିଲା।
ସଭାର ପରିଚାଳନା ପ୍ରାଣବନ୍ଧୁ ନାଥ କରିଥିଲେ ଓ ଅତିଥି ପରିଚୟ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମମତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଯୋଗ ବିଦ୍ୟାର୍ଥୀ କ୍ରୀଷ୍ଣା ସେଠି ନୃତ୍ୟ ମାଧ୍ୟମରେ ଯୋଗ ପ୍ରଦର୍ଶନ କରିଥିଲେ। ବୈଷ୍ଣବୀ ପଟେଲଙ୍କୁ ସାତ ଦିନ ବ୍ୟାପୀ ନିଶୁଳ୍କ ଯୋଗ ଶିକ୍ଷାଦାନ ପାଇଁ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ