ଭୁବନେଶ୍ୱର,୩୦ ମଇ (ହି.ସ.) - ୨୦୨୫ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ରାୟଗଡା଼ ଜିଲ୍ଲାର ବଳଭଦ୍ର ମାଝୀ ଅର୍ଥାଭାବ ଯୋଗୁଁ ଜୀବିକା ଉପାର୍ଜନ ନିମନ୍ତେ ରାଜ୍ୟ ବାହାରକୁ ଯାଇଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ତ୍ୱରିତ ସଂଜ୍ଞାନ ନେଇ ଘଟଣାର ତଦନ୍ତ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବଳଭଦ୍ରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସିଏମଆରଏଫ୍ ଏବଂ ରେଡ୍ କ୍ରସ୍ ପାଣ୍ଠିରୁ ୩୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ବଳଭଦ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ସହାୟତା ଯୋଗାଇଦେବାକୁ ଉଚ୍ଚ ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବଳଭଦ୍ରଙ୍କ ପରିବାର ପାଇଁ ଉପଲବ୍ଧ ସରକାରୀ ଯୋଜନା ଅଧୀନରେ ଜୀବିକା ସହାୟତା ଯୋଗାଇଦେବାର ଘୋଷଣା କରିଛନ୍ତି । ଏଥିସହିତ ଏଭଳି ଘଟଣା ପୁନରାବୃତି ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା