Bhubaneswar, 1 ଜୁନ୍ (ହି.ସ.)
ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି । ଏହି ଅବସରରେ ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ସେଠାକାର ଭୂମିପୁତ୍ର ତଥା ଓଡ଼ିଶାର ବର ପୁତ୍ର, କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ହଲର ଲୋକାର୍ପଣ କରିଛନ୍ତି । ତାସହ ସେଠାରେ ବିଜୁ ପଟ୍ଟନାୟକଙ୍କର ଏକ ଫଳକକୁ ଉନ୍ମୋଚିତ କରିଛନ୍ତି ଅପରାଜିତା । ଯାହାକୁ ଏକ୍ସରେ ପୋଷ୍ଟ କରି ଜଣାଇଛି ଇଣ୍ଡୋନେସିଆସ୍ଥିତ ଭାରତୀୟ ଦୂତାବାସ । ଏହି ଅବସରରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ କିଛି ସମୟ ଭାବ ବିନିମୟ କରିଛନ୍ତି ମାଡାମ୍ ଅପରାଜିତା । ଓଡ଼ିଶା ସହ ଇଣ୍ଡୋନେସିଆର ବହୁ ପୁରାତନ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଆସିଛି । ୧୯୫୧ ରେ ଯେତେବେଳେ ଭାରତରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳିତ ହେଲା, ସେତେବେଳେ ତତ୍କାଳୀନ ଇଣ୍ଡୋନେସିଆ ରାଷ୍ଟ୍ରପତି ଆମର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଡଚ୍ ମାନଙ୍କ ସହ ୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଏଠାକୁ ଆସି ଇଣ୍ଡୋନେସିଆର ନେତାମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଆଉ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ଅପରାଜିତା । ଯାହାଫଳରେ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କୁ ସେଠାକାର ସର୍ବଶ୍ରେଷ୍ଠ ପୁରଷ୍କାର ବିଙ୍ଗଟଙ୍ଗ୍ ଯଶ ଉତ୍ତମ ଏବଂ ଇଣ୍ଟୋନେସିଆର ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା କରି ସେଠାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି ଅପରାଜିତା । ସେହିପରି ଓଡ଼ିଶାର ସାଧବ ପୁଅମାନେ କିଭଳି ନୈବାଣିଜ୍ୟ ଦ୍ୱାରା ସେଠାକାର ଜାଭା, ସୁମାତ୍ରା, ସ୍ୱର୍ଣ୍ଣଦ୍ୱୀପ, ବାର୍ଲି ସହ ସମ୍ପର୍କ ସ୍ଥାପନ କରିଥିଲେ ତାହାକୁ ମଧ୍ୟ ମନେ ପକାଇ ଦେଇଛନ୍ତି । ଯାହାର ପ୍ରତୀକ ସ୍ୱରୂପ ବର୍ତ୍ତମାନ ଓଡ଼ିଶାରେ ପ୍ରତିବର୍ଷ ବାଲିଯାତ୍ରା ଆୟୋଜିତ ହୋଇଆସୁଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ସେଠାକୁ ସେ ଦୁଇଟି କାରଣ ପାଇଁ ଯାଇଥିବା କହିଛନ୍ତି । ପ୍ରଥମତଃ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ନେଇ ଭାରତର ପକ୍ଷ ରଖିବାକୁ । ଏନେଇ ଅପରାଜିତାଙ୍କ ସହ ଏକ ପ୍ରତିନିଧି ଦଳ ଜାପାନ, କୋରିଆ ରିପବ୍ଲିକ, ସିଙ୍ଗାପୁର ପରେ ଇଣ୍ଡୋନେସିଆରେ ଆସି ପହଞ୍ଚିଛନ୍ତି । ଆଉ ପରେ ସେମାନେ ମାଲେସିଆ ଯିବେ । ଦ୍ୱିତୀୟତଃ ସମସ୍ତଙ୍କୁ ଜଣାଇବାକୁ କି ଆମ ପଡ଼ୋଶୀ ଦେଶ ପାକିସ୍ତାନ ଭାରତ ବିରୋଧରେ ଏକ ମିଛ ପ୍ରୋପାଗଣ୍ଡା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ଭାରତ ବିରୋଧରେ ମିଛ ଅପପ୍ରଚାର କରୁଛି । ଯାହାକି ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଳିନ କରୁଛି । ତେଣୁ ସାରା ବିଶ୍ୱକୁ ସତ କଣ ଜଣାଇବାକୁ ସେମାନେ ବିଭିନ୍ନ ଦେଶ ଭ୍ରମଣରେ ଯାଇଥିବା କହିଛନ୍ତି ଭୁବନେଶ୍ୱର ସାଂସଦ । ତାଙ୍କ କହିବା କଥା ଯୁଦ୍ଧ କେବେ ବି ଭାରତର ପସନ୍ଦ ନୁହେଁ । ଆମେ ସବୁବେଳେ ଅହିଂସା ଏବଂ ଶାନ୍ତି ସପକ୍ଷରେ ଅଛୁ । କିନ୍ତୁ ଏଥର ସବୁ କିଛି ଏପଟ ସେପଟ କରିଦେଇଛି ପାକିସ୍ତାନ । ପହେଲଗାମରେ ଗୋଟିଏ ପିଲା ସାମ୍ନାରେ ତାର ବାପାକୁ ଏବଂ ସ୍ତ୍ରୀ ସାମ୍ନାରେ ତା ସ୍ୱାମୀକୁ ଦିନ ଦ୍ୱିପ୍ରହରରେ ଅତି ବର୍ବରଭାବେ ହତ୍ୟା କରାଯାଇଛି । ପାକିସ୍ତାନ ଦ୍ୱାରା ଗୋଟିଏ ନାରୀର ସିନ୍ଦୂର ଉପରରେ ଆକ୍ରମଣ କରାଯାଇଛି । ଯେଉଁଥିପାଇଁ ପାକିସ୍ତାନକୁ ଯବାବ ଦେବା ସମୟରେ ସେମାନଙ୍କ ପକ୍ଷରୁ ପ୍ରଥମେ ସିଜ ଫାୟାର ଲାଗି ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ଭାରତ ବିଶ୍ୱର ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ରୂପେ ରହିଛି । ଖୁବ୍ ଶୀଘ୍ର ତାହା ତୃତୀୟ ଅର୍ଥନୀତିରେ ପହଞ୍ଚିବ । ଭାରତ ସବୁ କ୍ଷେତ୍ରରେ ଅଗ୍ରଗତି କରିଚାଲିଛି । ଆଉ ଏହି ସମୃଦ୍ଧିକୁ ଆମ ପଡ଼ୋଶା ରାଷ୍ଟ୍ର ପାକିସ୍ତାନ ସହ୍ୟ କରିପାରୁନାହିଁ । ସେଥିପାଇଁ ସବୁବେଳେ ବିଭିନ୍ନ ସମୟରେ ଭାରତରେ ହମଲା କରୁଛି ଆଉ ଆମର ସମୃଦ୍ଧିରେ ବାଧକ ସାଜୁଛି । ଯାହାକୁ ଭାରତ କେବେବି ବରଦାସ୍ତ କରିବ ନାହିଁ । ଏଥର ଭାରତ ଉଭୟ ଆତଙ୍କବାଦ ଏବଂ ପାକିସ୍ତାନ ବିପକ୍ଷରେ ଶୂନ୍ୟ ସହନଶୀଳତା ମନୋଭାବକୁ ଆପଣାଇଛି । ତେଣୁ ସମସ୍ତ ଦେଶ ବୁଲି ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ କିଭଳି ମୂଳୋତ୍ପାଟନ କରାଯିବ ସେନେଇ ପଦକ୍ଷେପ ନେବାରେ ସହାୟତା ଏବଂ ସମର୍ଥନ ମାଗିଛି ଭାରତ । ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟଙ୍କୁ ଜଣେ ଜଣେ ଭାରତୀୟ ଦୂତଭାବେ ଅବିହିତ କରି ସେମାନଙ୍କୁ ମଧ୍ୟ ଆତଙ୍କବାଦ ବିରୋଧରେ ସ୍ୱରୋତ୍ତୋଳନ କରିବାକୁ ଅପିଲ୍ କରିଛନ୍ତି ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା