ପୁରୀ, ୧୦ ଜୁନ୍ (ହି.ସ.)- ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଏହି ଦିନ ୧୦୮ ଗଡୁ ଅଭିମନ୍ତ୍ରିତ ଅଧିବାସ ଜଳରେ ତିନି ଠାକୁର ସ୍ନାନ କରିବେ । ସ୍ନାନ ପରେ ଗଜାନନ ବେଶ ଅନୁଷ୍ଠିତ ହେବ । ସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭକ୍ତ ମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବକ ସ୍ନାନବେଦିରେ ଶ୍ରୀଜୀଉଙ୍କୁ ଦର୍ଶନ କରି ତିନି ଦ୍ୱାରରେ ପ୍ରସ୍ଥାନ କରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମର୍ଚିକୋଟ ଛକ ଠାରୁ ବ୍ୟାରିକେଡ୍ ଓ ଛାମୁଣ୍ଡିଆ କରାଯାଇଛି । ଦର୍ଶନାର୍ଥୀଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା ହୋଇଛି ।
ନୀତି ନିର୍ଘଂଟ ଅନୁଯାୟୀ, ଆସନ୍ତାକାଲି ଭୋର୍ ୪ଟା ୩୦ରେ ମଙ୍ଗଳାର୍ପଣ, ୫ଟାରୁ ୭ଟା ଡୋରଲାଗି ଓ ପୁଷ୍ପାଞ୍ଜଳି, ପୂର୍ବାହ୍ନ ୯ଟାରେ ମଙ୍ଗଳ ଆଳତୀ, ୧୨ଟା ୨୦ରୁ ୧ଟା ୪୫ ଜଳ ବିଜେ, ଅପରାହ୍ନ ୩ଟା ୩୦ ରେ ଛେରାପହଁରା, ୪ଟା ୩୦ରେ ଶ୍ରୀଜୀଉମାନଙ୍କ ହାତୀବେଶ, ସଂନ୍ଧ୍ୟା ୭ଟା ୩୦ରୁ ୧୦ଟା ୩୦ ସାହାଣମେଲା ଦର୍ଶନ । ରାତି ୧୧ଟାରେ ହାତୀବେଶ ମଇଲମ, ରାତି ୧୧ଟା ୧୦ରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ବାହୁଡ଼ା ପହଣ୍ଡି ୧୧ଟା ୩୦ରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ