କେନ୍ଦୁଝର, 12 ଜୁନ୍ (ହି.ସ.)କେନ୍ଦୁଝର ଜିଲ୍ଲା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ସଶସ୍ତ୍ର ଡକାୟତି ହୋଇଛି। ବନ୍ଧୁକ ମୁନରେ ଲୁଟେରା ମାନେ ଲୁଟି ନେଇଛନ୍ତି ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା। ଯୋଡ଼ା ସହର ସେଣ୍ଟ ଟେରେସା ସ୍କୁଲ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ବ୍ୟାଙ୍କରେ ୫ ଜଣ ଦୃବୃର୍ତ୍ତ ପଶି ଲୁଟ୍ ଘଟଣାକୁ ରୂପ ଦେଇଛନ୍ତି । ପୂର୍ବାହ୍ନ ସମୟରେ ବ୍ୟାଙ୍କ ଖୋଲିବାର କିଛି ସମୟ ମଧ୍ୟରେ ଏହି ୫ ଜଣ ଦୃବୃର୍ତ୍ତ ବ୍ୟାଙ୍କରେ ପଶି ସମସ୍ତଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ କିଛି କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହାପରେ ସମସ୍ତଙ୍କୁ ବ୍ୟାଙ୍କର ଏକ ରୁମ୍ ଭିତରେ କରି କ୍ୟାସ ବକ୍ସରୁ ଟଙ୍କା ଓ ସୁନା ପ୍ୟାକେଟ ନେଇଯାଇଥିଲେ । ଗଲା ବେଳେ ସିସି ଟିଭି ହାର୍ଡ ଡିସ୍କ ଓପାଡ଼ି ନେଇଯାଇଛଥିବା ଜଣାପଡ଼ିଛି। ତେବେ ସେମାନେ କେଉଁ ପଟୁ ଆସିଥିଲେ ଓ କେଉଁ ଆଡ଼କୁ ଗଲେ ତାହା କିଛି ସ୍ପଶ୍ଟ ହୋଇନାହିଁ । ତିନି ଜଣ ଦୃବୃର୍ତ୍ତ ହାତରେ ବନ୍ଧୁକ ଧରିଥିବା ବେଳେ, ଅନ୍ୟ ଦୁଇ ଜଣ ଛୁରୀ ଧରିଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶି ପୋଲିସ ନିକଟରେ ପ୍ରକାଶ କରିଥିବା ଜଣାପଡିଛି। ଲୁଟେରା ଗଲା ପରେ ରୁମର କବାଟ ଭାଙ୍ଗି ସମସ୍ତେ ପଦାକୁ ବାହାରିବା ପରେ ଯୋଡ଼ା ପୋଲିସକୁ ସୂଚନା ଦିଆଯାଇଥିଲା । ଯୋଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ବଡ଼ବିଲ ଏସ୍ ଡି ପି ଓ, ଓ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ପୋଲିସ୍ ଖାନତଲାସୀ ଜାରୀ ରଖିଛି । ତେବେ ଏଯାଏଁ ଡକାୟତଙ୍କ ସମ୍ପର୍କରେ କିଛି ସୁରାକ ମିଳିପାରି ନାହିଁ । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA