ଓଡ଼ିଶାରେ ଲୋକସେବାର ନୂଆ ପରମ୍ପରା ତିଆରି ହୋଇଛି - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାରେ ଜନସେବାରେ ସମର୍ପିତ ବିଜେପି ସରକାର ଶାସନର ୧ ବର୍ଷ ପୂର୍ତି ପାଳନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ୧୧ ବର୍ଷ ଧରି ଏକ କଲ୍ୟାଣକାରୀ ସରକାର ଲୋକଙ୍କ ସେବାରେ ଅଛି । ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଲ୍ୟାଣକାରୀ ଲୋକଙ୍କ ସରକାର କାମ କରୁଛି। ରାଜ୍ୟରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ବର୍ଷ ପୂର୍ତି ହୋଇଛି। ବିଗତ ଏକ ବର୍ଷରେ ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି । ଆମ ସରକାର ଲୋକସେବାର ନୂଆ ପରମ୍ପରା ତିଆରି କରିଛି। ଲୋକମାନଙ୍କ ନିକଟତର ହେବା ସହ ଉତରଦାୟୀ ହୋଇଛି। ଓଡ଼ିଶା ସମେତ ଦେଶରେ ଏକ ବିକାଶମୂଳକ ରାଜନୀତିର ଆରମ୍ଭ ହୋଇଛି – ଯାହାର ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ । ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ପାଖରେ ପହଂଚୁଛି। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ପ୍ରତ୍ୟେକ ଗରିବର ଅଧିକାର, କୃଷକଙ୍କୁ ସମ୍ମାନ, ଯୁବକଙ୍କୁ ସୁଯୋଗ ଏବଂ ମହିଳା ସଶକ୍ତିକରଣ ସହ ରାସ୍ତା, ରେଳ, ବିମାନସେବା ଏବଂ ଆନୁଷଙ୍ଗିକ ଭିତିଭୂମିକୁ ସୁଦୃଢ଼ କରାଯାଉଛି ।
‘ସୁଭଦ୍ରା ଯୋଜନା’ରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯିବା ସହ ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର କ୍ୱିଣ୍ଟାଲ ପିଛା ଏମଏସପି ମୂଲ୍ୟ ଉପରେ ଅଧିକ ୮୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୨୪-୨୫ ଖରିଫ ଋତୁରେ ୧୬.୬ ଲକ୍ଷ ଚାଷୀଙ୍କ ଠାରୁ ୭୩.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ, ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟକାରିତା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି, ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧.୨୫% ସ୍ଥାନ ସଂରକ୍ଷଣ ଦିଆଯିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି, ଯାହା ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡ଼ିଶାକୁ ନବଉତ୍କର୍ଷକୁ ନେବେ ବୋଲି ସେ ମତପ୍ରକାଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା